ଶାନ୍ତି – ବିଶ୍ୱର ସ୍ପନ୍ଦନ
ଶାନ୍ତି ଚାହୁଁ ଆମେ ଶାନ୍ତି ଚାହୁଁ ଆମେ
ଶାନ୍ତି ବିଶ୍ୱର ସ୍ପନ୍ଦନ,
ହିଂସାର ତାଣ୍ଡବ ରଚ ନା ମାନବ
ଶୁଭଇ ଆର୍ତ୍ତ କ୍ରନ୍ଦନ ।
ଯୁଦ୍ଧ ବିଭୀଷିକା ଟାଳିଦିଅ ଭାଇ
ଅହିଂସା ପଥ ଆଦରି,
ସାରା ପୃଥିବୀଟା ଏକ ପରିବାର
ଖୁସିରେ ଉଠିବ ପୁରି ।
ନିରୀହ ଜନତା କଷଣ ପାଆନ୍ତି
ତୋପର ଘୋର ଗର୍ଜନେ,
ଶିଶୁ ଘରକଣେ ଅସହାୟ ମଣେ
ଭୀତଃତ୍ରସ୍ତ ସଦା ମନେ ।
ଶାନ୍ତିର କପୋତ ସେ ଶାନ୍ତିର ଦୂତ
ଦିଏ ଶାନ୍ତିର ବାରତା,
ଶାନ୍ତି ପାଇଁ ଆଜି ବିଶ୍ୱ ଜାତିସଂଘ
କରୁଛନ୍ତି ଶାନ୍ତି ଚିନ୍ତା ।
କାହିଁ ଭାଇମାନେ ବୃଥା ଅଭିମାନେ
ହିଂସାର ବହ୍ନିକୁ ଜାଳି,
ଅନ୍ୟକୁ ଜାଳିବା ନିଜେ ବି ଜଳିବା
ସମାଜକୁ ଦେବା ବଳି ।
ସେପ୍ଟେମ୍ବର ମାସ ଦୁଇ ତାରିଖରେ
ବିଶ୍ୱ ଶାନ୍ତିର ଦିବସ,
ଦେଶ ଦେଶ ମିଳି ଶାନ୍ତି ଦିବସକୁ
ଆନନ୍ଦେ ପାଳିବା ଆସ ।
ବିଦୁଲତା ବେହେରା
ଭୁବନେଶ୍ୱର
ଖୋର୍ଦ୍ଧା