ଶାନ୍ତି – ବିଶ୍ଵର ସ୍ପନ୍ଦନ
ଜୀବନ ପଥରେ ପ୍ରତିଟି ସ୍ତରରେ
କିଏ ବା ଶାନ୍ତି ନ ଚାହେଁ,
ହେଉ ଦେଶ, ରାଜ୍ୟ ଅଥବା ନିଳୟ
ଶାନ୍ତି ହିଁ ତ ଶାନ୍ତି ଦିଏ ।
ଶାନ୍ତି ବିଶ୍ଵର ସ୍ପନ୍ଦନ,
ପ୍ରତିହିଂସା, କ୍ରୋଧ, ଅସୂୟା ସ୍ଵଭାବ
ଧ୍ବଂସର ମୂଳ କାରଣ ।
ବୃଥା ଅହମିକା ଶ୍ରେଷ୍ଠ ନିଦର୍ଶନ
ଆମ ଦେଶ ବଡ଼ ବୋଲି,
ଅଶାନ୍ତିର ବାତାବରଣ ଖେଳାଇ
ବାହାଦୁରୀ ବୁଲି ବୁଲି ।
ଶାନ୍ତି ଥରେ ବାଣ୍ଟି ଦେଖ,
ଦେଶ ଦେଶ ମଧ୍ୟେ ବିନା ରକ୍ତପାତେ
ଭାତୃତ୍ବ ସୁଆଦ ଚାଖ ।
ମୋ ଦେଶ ଭାରତ ସାଜେ ଅଗ୍ରଦୂତ
ଶାନ୍ତିର ପ୍ରତିଷ୍ଠା ପାଇଁ,
ପ୍ରତି ଜୀବନର ମୂଲ୍ୟର ମହତ୍ତ୍ଵ
ଅମୂଲ ମୂଲ ଅଟଇ ।
ଅକାଳେ ନ ଯାଉ ଝଡ଼ି,
ବୃଦ୍ଧ ପିତାମାତା ପରିବାର ପାଇଁ
ସେ ପରା ଆଶାର ବାଡ଼ି ।
ଭୟାବହ ଯୁଦ୍ଧ କ୍ରୁର ବିଭୀଷିକା
ଡାକି ଆଣେ ବିପର୍ଯ୍ୟୟ,
ଦେଶ ଅର୍ଥ ନୀତି ଦୁର୍ବଳ ହୁଅଇ
ମାନଦଣ୍ଡ ହୁଏ କ୍ଷୟ ।
ସଙ୍କଟାପନ୍ନ ଜୀବନ,
ନିତି ମରି ପୁଣି ବଞ୍ଚିବାକୁ ହୁଏ
ସହି ଅସହ୍ୟ କଷଣ ।
କେତେ ଯେ କୋମଳ ନୀରିହ ଜୀବନ
ଅକାରଣେ ହୁଏ ନାଶ,
କେତେ କୋଠାବାଡ଼ି ଅମୂଲ୍ୟ ସମ୍ପଦ
ଅଚିରେ ହୁଅଇ ଧ୍ବଂସ ।
କି ଲାଭ ସେଥିରେ ମିଳେ,
ଶାନ୍ତି ହିଁ ତ ଅଟେ ବିଶ୍ଵର ସ୍ପନ୍ଦନ
ଭୁଲ ନାହିଁ କେବେ ହେଲେ ।
ସଲୀଳା ଷଡ଼ଙ୍ଗୀ
କଟକ