ସନ୍ତାନ
ଅରେନ୍ଦ୍ର କୁମାର ଦାଶ
ମାଆର କୋଳଟା ମଣ୍ଡିତ ହୁଅଇ
ଦେଖଇ ଯେବେସେ ସନ୍ତାନ ମୁଖ
ସନ୍ତାନର ମୁଖ ଦେଖୁ ଦେଖୁ ସିଏ
ଭୁଲିଯାଏ ଗର୍ଭ ଯନ୍ତ୍ରଣା ଦୁଃଖ…….. (୧)
ଦଶମାସ ଦଶଦିନ ଗର୍ଭେ ଧରି
ଜନ୍ମ ଦେଇଥାଏ ଯାହାକୁ ସିଏ
ସେହି ସନ୍ତାନର ମନ ବୁଝିପାରି
ଅନ୍ତଚିରି କ୍ଷୀର ପିଆଇଥାଏ……….. (୨)
ସେ ପିଲା ମୁଖରେ ଦରୁଟି କଣ୍ଠରେ
ମାଆ ମାଆ ଯେବେ ଡାକଇ ଧିରେ
ମମତାମୟୀ ସେ ମାଆର ମନଟା
ଆନନ୍ଦେ ଉଡ଼ଇ ସରଗପୁରେ……… (୩)
ଟିକେ ବଡ଼ ହେଲେ ଗୁରୁଣ୍ଡି ଚାଲିଲେ
କଡ଼େ କଡ଼େ ମାଆ ଜଗିଣ ଥାଏ
ପିଲାଟି ଯେମିତି ନଜରରୁ ତାର
ବାହାରକୁ କେଣେ ଚାଲିନଯାଏ……. (୪)
କେବେସେ କବାଟ କେବେ ଘର କାନ୍ଥ
ଧରି ଧିରେ ଯେବେ ଚାଲିବା ଶିଖେ
ଯେଉଁଠି ଥିଲେବି ମାଆର ନଜର
ସବୁବେଳେ ଥାଏ ତା ପିଲା ପାଖେ…… (୫)
ଏମିତିରେ କିଛି ବର୍ଷ ବିତିଯାଏ
ହୁଏ ସେ ପିଲାର ପଢ଼ିବା ବେଳ
ବିଦ୍ୟାଳୟ ଗଲେ କିଛି କ୍ଷଣପାଇଁ
ଖାଲି ଖାଲି ଲାଗେ ମାଆର କୋଳ…..(୬)
କାଲି ଖେଳୁଥିଲା ବାପା ମାଆ ସାଥେ
ଗୁଗୁପାଞ୍ଚି ଆଉ ହେଇତା ଖେଳ
ଆଜିସେ ଖେଳୁଛି ସାଙ୍ଗ ସାଥି ମେଳେ
ଲୁଚକାଳି ଆଉ ସଢ଼େଇ ଖେଳ……..(୭)
ସେହି ପୁଅ ଦିନେ ବଡ଼ ହୁଏ ଯେବେ
ବାପା ମାଆଙ୍କୁ ସେ ଦିଏ ପାସୋରି
ନିଜ ଖୁସିପାଇଁ ଭାରିଯାକୁ ନେଇ
ଗାଆଁ ଛାଡ଼ି ସିଏ ହୁଏ ସହରୀ……. (୮)
ବାପା ମାଆ ଯଦି ପଚାରନ୍ତି କେବେ
ବୋହୁକୁ ନେଇ ତୁ ଆସିବୁ କେବେ
ପୁଅ ଦିଏ ସେହି ଗୋଟିଏ ଉତ୍ତର
ଚାକିରୀରେ ବ୍ୟସ୍ତ ରହୁଛି ଏବେ….. (୯)
ଚାକିରୀ ଛାଡ଼ିକି ଗାଁକୁ ଯିବାକୁ
ମୋ ପାଖରେ ଏବେ ସମୟ ନାହିଁ
ଅତୀତକୁ ଭୁଲି ଅତି ସହଜରେ
ଏହିକଥା ପୁଅ ପାରୁଛି କହି……. (୧0)
ଧନ୍ୟହେ ସନ୍ତାନ ଧନ୍ୟ ତୋର ଜ୍ଞାନ
ପାଠପଢ଼ି ସିନା ଚାକିରୀ କଲୁ
ପାଶ୍ଚାତ୍ୟ ଚଳଣି ଘୋଡ଼ଣି ଭିତରେ
ମଣିଷପଣିଆ ସବୁ ସାଇଲୁ…….. (୧୧)
କହ୍ନେଇ ଓଗାଳପୁର, ବାହାନଗା, ବାଲେଶ୍ବର
ଯୋଗାଯୋଗ :- ୮୦୧୮୭୯୯୬୫୮✍️