ସଂସ୍କାରହୀନ ସନ୍ତାନ ଓ ସାହିତ୍ୟ

ସାହିତ୍ୟ ସମସାମୟିକ ପ୍ରଥା ଓ ସମାଜର ଦର୍ପଣ ସଦୃଶ।ଏଥିରେ ପ୍ରତିଫଳନ ହୁଏ ସମାଜର ଭଲ ମନ୍ଦ ଏବଂ ଉପୁଜିଥିବା ସମସ୍ୟାର କଥା। ମୋର ଆଜି ମନେପଡେ ବ୍ୟାସକବି ଫକୀରମୋହନଙ୍କ ଲିଖିତ କ୍ଷୁଦ୍ରଗଳ୍ପ “ଡାକମୁନ୍ସୀ ” । ଏହା ସର୍ବକାଳୀନ ଯୁଗଜୟୀ ଗଳ୍ପ। କାରଣ ସେ ଯେଉଁ ବିଷୟବସ୍ତୁ ଉପରେ ଗଳ୍ପ ଲେଖିଥିଲେ ତାହା ଥିଲା ଏକ ସାମାଜିକ ବ୍ୟାଧି।ଆଜି ସେଇ ବ୍ୟାଧି ବହୁ ପରିମାଣରେ ବଢି ବଢି ଚାଲିଛି। ସେ ସମୟର ସାମାଜିକ ପରିବର୍ତ୍ତନ ସମୟରେ ନୁଆଁ ଭାବେ ସୃଷ୍ଟି ହୋଇଥିବା ଡାକବାବୁ ଏକ ପ୍ରତୀକଧର୍ମୀ ଚରିତ୍ର। କେମିତି ହାକିମ ପୁଅ ତାର ଡାକ ପିଅନ ବାପାକୁ ଅତି କଦର୍ଯ୍ୟ ବ୍ୟବହାର କରିଛି ତାର କରୁଣ କାହାଣୀ ଉକ୍ତ ଗଳ୍ପରେ ଜୀବନ୍ତ ହୋଇ ଉଠିଛି। କାହାଣୀ ଥିଲା ସେ ସମୟ ସମାଜର। କିଂତୁ ଆଜିର ସମାଜରେ ଏହି ସାମାଜିକ ସ୍ଖଳନର ଦୃଶ୍ୟ ସର୍ବାଧିକ।ସେଥିପାଇଁ ଆମେ ଏହି ଗଳ୍ପକୁ ଯୁଗଜୟୀ ଗଳ୍ପ ବୋଲି କହି ପାରିବା।କାଳର କରାଳ ଗର୍ଭରେ ଏହି ସାହିତ୍ୟ ବିଲୀନ ହୁଏନା।

ଯୁଗ ପରିବର୍ତ୍ତନ ହୁଏ। ଚିନ୍ତାଧାରା ରେ ଆସେ ଅହେତୁକ ପରିବର୍ତ୍ତନ। ନିଜକୁ ଯେତେ ସଭ୍ୟ ବୋଲ ଆମେି ପ୍ରମାଣିତ କରିବାକୁ ଗଲେ ବି ଶେଷଫଳ ଅସଭ୍ୟତା ବୋଲି ଜାଣିହୁଏ।

ପିତାମାତାଙ୍କ କେତେ ଆଶା । କେତେ ଆକାଂକ୍ଷା।ନିଜର ସନ୍ତାନ ସନ୍ତତି ଉପରେ ଅହେତୁକ ଭରସା। ଦିନ ଆସିବ। ପିଲାଏ ବଡ ଅଫିସର ହେବେ। ତାଙ୍କ ଦୁଃଖ ଦିନ ସରିବ। ଜୀବନର ସମସ୍ତ ହାଡଭଙ୍ଗା ପରିଶ୍ରମର ପୁଞ୍ଜି ବ୍ୟବହୃତ ହୁଏ ସନ୍ତାନର ଲାଳନ ପାଳନରେ। କେବଳ ଗୋଟିଏ ଆଶା। ସମସ୍ତ ଦୁଃଖର ପରିସମାପ୍ତି ହେବ ପୁଅ କାମରେ ଲାଗିଗଲା ପରେ।

ହେ ବନ୍ଧୁଗଣ !! ବାପାମାଆଙ୍କ କରୁଣ କାହାଣୀର ସୃଷ୍ଟି ହୁଏ ପିଲା ଚାକିରୀ କଲା ପରେ କିମ୍ବା ରୋଜଗାର କ୍ଷମ ହେଲାପରେ। ସେ ଦୁର୍ଦ୍ଦିନର ଅନ୍ତଃ ନାହିଁ। ବୋହୁଟିଏ ଆସିଲା ପରେ ସମସ୍ତ ସ୍ବପ୍ନ ଚୁର୍ ମାର ହୋଇଯାଏ। ରହେ କେବଳ ଭଗବାନ ଭରସା। କେମିତି ପିତାମାତାଙ୍କ ଦିନ କଟେ ତାହା ଅନୁଭବୀ ହିଁ ଜାଣିପାରିବେ। ଜୀବନର ଯନ୍ତ୍ରଣା ମଧ୍ୟରେ ପେଷି ହୋଇ ଯାଏ ବାର୍ଦ୍ଧକ୍ୟ ଜୀବନ। ଥିଲାବାଲାଙ୍କ ଅବସ୍ଥା ମଧ୍ୟ ତଦ୍ରୁପ। ଗୋଟିଏ ସହରରେ ଚାକିରୀ କରୁଥିଲେ ମଧ୍ୟ ବାପାମାଆଙ୍କୁ ପାଖରେ ରଖନ୍ତି ନାହିଁ। ସରକାରୀ ବଡ ବଙ୍ଗଳା ମଧ୍ୟରେ ଦିନ କଟେ ପିଲାଙ୍କର। ପିତାମାତାଙ୍କୁ ପାଖରେ ରଖିଲେ ତାଙ୍କ ବଙ୍ଗଳା ଅଶୁଦ୍ଧ ହୋଇଯିବ। ଏମାନେ କେବେ ବି ବୁଝନ୍ତିନି ଜନ୍ମଦାତା ଜନ୍ମଦାତ୍ରୀ କେମିତି ଅଛନ୍ତି। ମୁଁ ଥରେ ଏମିତି ଜଣେ ବାପାଙ୍କୁ ପଚାରିଲି ” ଆପଣଙ୍କ ପିଲାମାନେ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ। ଆପଣ ଜଣେ ବାପା ଭାବେ କେମିତି ଅନୁଭବ କରନ୍ତି ??? ” ସେ ଦିର୍ଘଶ୍ଵାସ ଛାଡି କହିଲେ ” ପାତ୍ରବାବୁ ଦିଲ୍ଲୀକା ଲଡୁ ଯୋ ଖାୟା ବୋ ପସ୍ତାୟା …ଯୋ ନହିଁ ଖାୟା ବୋ ଭି ପସ୍ତାୟା ।” ତାଙ୍କ ଆଖିରୁ ବାରି ପାରୁଥିଲି ତାଙ୍କ ବ୍ୟଥା ଓ ଯନ୍ତ୍ରଣା।

ତୁମେ ଦିନେ ବି ବୃଦ୍ଧ ହେବ। ଚାକିରୀ ବାକିରୀ ସରିଥିବ। ନଥିବେ ସରକାରୀ ଗୋଲାମ। ତୁମକୁ ବି ତୁମ ପିଲାମାନେ ଏକାକୀ ଛାଡି ଚାଲିଯିବେ। ସେମାନେ ଜାଣିଛନ୍ତି ତୁମେ କେଉଁ ପ୍ରକାର ବ୍ୟବହାର ତୁମ ବାପା ମାଆଙ୍କ ପାଇଁ କରିଛ। ସେଦିନ ଅଜାତଶତ୍ରୁଙ୍କ ନିଦ ଭାଙ୍ଗିବ। କିନ୍ତୁ ବିମ୍ବିସାର ଆଉ ନଥିବେ। ନିଜ ପୁତ୍ର ଉଦାୟୀ ନେବ ପ୍ରତିଶୋଧ। ଏ ଥିଲା “ଅଜାତଶତ୍ରୁ ” କ୍ଷୁଦ୍ରଗଳ୍ପର କରୁଣ କାହାଣୀ।
ଆଜିକାଲି ପିଲାଙ୍କ ଏତାଦୃଶ ବ୍ୟବହାର ଦେଖି ସରକାର ନୁଆଁ ନିୟମ ଆଣିଲେଣି। ପିତାମାତାଙ୍କୁ ତାଙ୍କ ପ୍ରାପ୍ୟରୁ ବଂଚିତ କଲେ ଜେଲ ଓ ଜୋରିମାନା ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ବାପାମାଆ ମନ ଭିନ୍ନ। ଏମାନେ ସନ୍ତାନର ଦୁଃଖ ସହି ପାରନ୍ତି ନାହିଁ। ଅଦାଲତକୁ ନଯାଇ ନିର୍ଯ୍ୟାତନା ସହିଯାନ୍ତି ନୀରବରେ। ହେ ସନ୍ତାନଗଣ !! ଅପେକ୍ଷା କର ତୁମ ଦୁର୍ଦ୍ଦଶାର ଦିନ ପାଖେଇ ଆସୁଛି।

ପ୍ରମୋଦ ଚନ୍ଦ୍ର ପାତ୍ର

Leave a Reply

Your email address will not be published. Required fields are marked *