ସଂଶୋଧନ

ଏମିତି ମଣିଣ ନାହିଁ ଜୀବନରେ
କେବେ ଭୁଲ କରିନାହିଁ,
ଭୁଲ କରି ଯିଏ ତା’ର ସଂଶୋଧନେ
ମନୋନିବେଶ କରଇ,
ଉଚିତ ମଣିଷ ସେହି,
ସେହି ଭୁଲରୁ ଠିକ୍ ମାର୍ଗ ପରା
ତା’କୁ ମିଳି ଯାଇଥାଇ ।

ଭୁଲଟିକୁ ଯିଏ ଅଣଦେଖା କରି
ସଂଶୋଧିତ ହୁଏ ନାହିଁ,
ସେମିତି ମଣିଷ ଜୀବନର ମୁଲ୍ୟ
କେବେ ବୁଝି ନ ପାରଇ,
ଅବାଟକୁ ଆପଣେଇ,
କେତେ କଣ୍ଟା ଫୁଟି ଝରିଥାଏ ରକ୍ତ
ତାହା ମନ ଜାଣିଥାଇ ।

ସଂଶୋଧନ ଅଟେ ଜୀବନ ଆଦର୍ଶ
ସେଠାରୁ ମିଳଇ ଶାନ୍ତି,
ସଂଶୋଧିତ ପ୍ରାଣେ ଅମୃତ ଭରଇ
ତାହାର ଆଦର୍ଶ ନୀତି,
ଭରିଦିଏ କେତେ ତୃପ୍ତି,
ହୃଦୟ ମନକୁ ଆଲୋକିତ କରି
ଦେଖାଏ ପଥ ସୁଗତି ।

ଶିକ୍ଷାର୍ଥୀଟେ ଯଦି ତା’ର ଭୁଲକୁ
ସଂଶୋଧନ କରେ ନାହିଁ,
ତେବେ ଠିକ୍ ପାଠ ଜାଣି ନ ପାରିଣ
ସେହି ଭୁଲ ମଧ୍ୟେ ଥାଇ,
ଆଗେ ବଢ଼ି ନ ପାରଇ,
ସେହି ପୂର୍ବ ସ୍ତରେ ଅଟକି ରହିଣ
ଦୁଃଖ ମନେ ଭରୁଥାଇ ।

ବାଳକ, ଯୁବକ, ହେଉ ଅବା ବୃଦ୍ଧ
ନିଜ ନିଜର ଜୀବନେ,
ଭୁଲ ସଂଶୋଧିତ କରି କର୍ମ କଲେ
ପ୍ରମାଦ ସେତ ନ ଗଣେ,
ନିଷ୍ଠା ତାହାର ଭାବନେ,
ରହିଥାଏ ବୋଲି ସୁଖକୁ ସାଉଣ୍ଟି
ଆନନ୍ଦ ଲଭଇ ପ୍ରାଣେ ।

ବିନୋଦିନୀ ଦାଶ
ଯାଜପୁର

One thought on “ସଂଶୋଧନ- ବିନୋଦିନୀ ଦାଶ”
  1. ଭୁଲ୍ ତ ବେଳେ ବେଳେ ହୋଇଯାଏ କିନ୍ତୁ ଭୁଲ୍ ସୁଧାରି କର୍ମ କଲେ ଉତ୍ତମ ହୋଇପାରିବା, ଖୁବ୍ ସୁନ୍ଦର ବର୍ଣ୍ଣନା ।

Leave a Reply

Your email address will not be published. Required fields are marked *