ସମୟର ଅନ୍ତରାଳେ
***************
କାହାରି ପାଇଁ ସେ ରହିଯାଏ ନାହିଁ
କରେନା କାହା ଅପେକ୍ଷା ,
ନିୟମରେ ବନ୍ଧା ତା’ର ଦୁଇ ହାତ
ଚାଲୁଥାଏ ହୋଇ ଏକା ।।
ଜୀବନର ପଥ କଣ୍ଟକରେ ଭରା
ଅଧା ଛାଇ ଅଧା ଖରା ,
ଅଟକି ନ ଯାଇ ଚାଲୁଥାଅ ନିତି
ଏହା ହିଁ ଜୀବନ ଧାରା ।।
ଶୈଶବ କୈଶୋର ଉପନୀତ ହୁଏ
ସମୟର ଅନ୍ତରାଳେ ,
ବାର୍ଦ୍ଧକ୍ୟ ବି ଦିନେ ହାତ ଛାଡ଼ି ଦିଏ
ଶୋଇଦେଇ କାଳ କୋଳେ ।।
ହାରିଲି ଜିତିଲି ହିସାବ ନ କରି
ଚାଲୁଥାଅ ଲକ୍ଷ୍ୟ ନେଇ ,
ଅତୀତ ଛନ୍ଦରେ ଛନ୍ଦି ହୋଇ କେବେ
ପଛ ଘୁଞ୍ଚା ଦିଅ ନାହିଁ ।।
ଅଢେଇ ଦିନର କୁଣିଆ ହୋଇକି
ଆସିଅଛେ ଧରା ଧାମ
ଯେଝା ଅଭିନୟ ସାରି ବାହୁଡ଼ିବା
ଏହା ହିଁ ବିଧି ବିଧାନ ।।
ତେଣୁ ବନ୍ଧୁଗଣ କର ଭଲ କର୍ମ
ବେଳ ଥାଉ ଥାଉ ପାଖେ ,
ନ ହେଲେ ଭୋଗିବ ଅନେକ ଯନ୍ତ୍ରଣା
ଜୀବ ଯିବ ଅଛଟକେ ।।
ଲକ୍ଷ୍ମୀପ୍ରିୟା ସେଠୀ
ଦେଉଳି,ଯାଜପୁର
Superb lo jhio…… excellent..sayary…. Keep it up.