# ରୁଟି #
ଯଦିଓ ବବୁଲ ଏତେ ଚଗଲା ନଥିଲା, ତଥାପି ବି ସବୁଦିନ ଗାଳି ଶୁଣେ ତା’ ମା’ ଙ୍କ ଠୁ l ଆଉ ସବୁଦିନ ଗାଳି ଶୁଣିବା ର କାରଣ ଗୋଟିଏ ହିଁ ଥିଲା l ସେ କାରଣ ଟା ହେଲା,ବବୁଲ କୁଆଡେ ନିତି ନିତି ଖାଦ୍ୟ ନଷ୍ଟ କରେ l ମାନେ, ସିଧା କହିବାକୁ ଗଲେ ରୁଟି ଫୋପାଡ଼ି ଦିଏ ତା’ ରୁମ ର ଝରକା ରୁ l କେବେ କେବେ ଡାଇନିଂ ହଲ ରୁ ତା’ପାଇଁ ବଢ଼ା ଯାଇଥିବା ରୁଟି ରୁ ଦି’ ପଟ ପକେଟ ରେ ପୁରେଇ ଆଣି ଝରକା ଦେଇ ଫୋପାଡ଼ି ଦିଏ ତ, ଆଉ କେବେ କେବେ ଲେଟ ନାଇଟ ଯାଏଁ ପାଠ ପଢିବା ର ବାହାନା ଦେଖାଇ ତା’ ଖାଇବା ପ୍ଲେଟ ତା’ ରୁମ କୁ ନେଇ ଆସେ ଆଉ ଠିକ ସେମିତି ଝରକା ଦେଇ ଫୋପାଡ଼ି ଦିଏ ରୁଟି l ବବୁଲ କିନ୍ତୁ ଯେତେ ହୁସିଆର ହେଲେ ବି ଧରା ପଡ଼ିଯାଏ ମା’ ଙ୍କ ହାବୁଡ଼ରେ l ଆଉ ତା’ ପରେ ଷ୍ଟାର୍ଟ ହେଇ ଯାଏ ମା’ ଙ୍କ ଗାଳି, “ଲକ୍ଷ୍ମୀଛଡା, ଚଣ୍ଡାଳ……” ଏମିତି କେତେ କଣ l ବବୁଲ ର ଏସବୁ କିନ୍ତୁ ଦେହ ସୁହା ହେଇ ଗଲାଣି l ସେ ଏ କାନରେ ପୁରେଇ ସେ କାନ ରେ ବାହାର କରିଦିଏ l
ବବୁଲ ଏବେ ଟିକେ ବଡ଼ ପିଲା ହେଇଗଲାଣି l ଆଉ କିଛି ମାସ ପରେ ସେ ହାଇସ୍କୁଲ ଯିବ l ଏବେ ଆଉ ବବୁଲ କୁ ମା’ଙ୍କ ଠୁ ଜମା ଗାଳି ଶୁଣିବାକୁ ପଡୁନି l କାହିଁକିନା, ସେ ଏବେ ଆଉ ଜମାରୁ ରୁଟି ଫିଙ୍ଗୁନି l ଗାଳି ବଦଳେ ଓଲଟା ମା ‘ ଙ୍କ ଠୁ ପ୍ରଶଂସା ଶୁଣୁଛି ସେ l
ୟା’ ଭିତରେ ଦେଖୁ ଦେଖୁ କୁଆଡେ ବାର ବର୍ଷ ବିତି ଗଲାଣି l ବବୁଲ ନୂଆଁ ନୂଆଁ ଚାକିରୀ କରୁଛି କଲିକତା ରେ l ଗୋଟେ ଭଲ ବ୍ୟାଙ୍କ ରେ ଆଉ ଭଲ ପୋଷ୍ଟ ରେ ବି l ସେ ଦିନ ଡ୍ୟୁଟି ଟାଇମ ରେ ବବୁଲ ଅନେଇ ବସିଥାଏ ତା’ ସାମ୍ନାରେ ଝୁଲୁ ଥିବା ବଡ଼ କାନ୍ଥ ଘଣ୍ଟା ଟିକୁ l କାହିଁକିନା, ତା’ ପେଟରେ ମୂଷା ଦୌଡୁ ଥିଲେ l ଘଣ୍ଟା କଣ୍ଟା ଆଉ ମିନିଟ କଣ୍ଟା ବବୁଲ କୁ ଖତେଇ ହେଇ ହେଇ ଆସି ପହଞ୍ଚିଗଲେ ଠିକ ଜାଗାରେ l ଏବେ ଲଞ୍ଚ ଟାଇମ l ଏକ ନିଃଶ୍ୱାସ ରେ ବବୁଲ ଦୌଡିଗଲା ବାହାରକୁ l କିନ୍ତୁ, ବାହାର ର ଦୃଶ୍ୟ ବବୁଲ ର ବାର ବଜେଇ ଦେଲା l ଦୂରରୁ ଦେଖି ସେ ଜାଣି ପାରୁଥିଲା ଯେ, ଏହା ନିଶ୍ଚୟ ହିନ୍ଦୁ-ମୁସଲିମ ଦଙ୍ଗା l ଚାଁହୁ ଚାଁହୁ ସମସ୍ତ ଦୋକାନ ବଜାର ବନ୍ଦ ହେଇଗଲା l ବିଚରା ବବୁଲ ଏବେ କଣ କରିବ?
ବହୁତ ବାଟ ପରେ, ଅଧା ଖୋଲା ଅବସ୍ଥା ରେ ହୋଟେଲ ଟିଏ ପାଇଲା ବବୁଲ l ନଇଁ ପଡି ପଚାରିଲା, ” ଭାଇ କିଛି ଖାଇବା ମିଳିବ? ” ସେପଟୁ କେହି ଜଣେ ଖୁବ ମୋଟା ସ୍ୱର ରେ ଉତ୍ତର ରଖିଲା ” ନା, ନା.. ହୋଟେଲ ବନ୍ଦ ଅଛି ଜଣା ପଡୁନି କି ତୁମକୁ l” ବବୁଲ ମୁଁହ ଶୁଖେଇ ଫେରି ଆସୁଥିଲା, ହଠାତ ସେଇ ହୋଟେଲ ରୁ କେହି ଜଣେ ଡାକ ଦେଲା, ” ଓ, ବାବୁ ଜଲଦି ଆସ ଜଲଦି l” ବବୁଲ ଦୌଡିଲା ହୋଟେଲ ଭିତରକୁ ଆଉ ସାଙ୍ଗେ ସାଙ୍ଗେ କେହି ଜଣେ ହୋଟେଲ ର ସଟର ଟାଣି ଦେଲା l ସେ ଦେଖିଲ ହୋଟେଲ ର ଚାରି ଆଡେ ସବୁ ଖାଦ୍ୟ ଫିଙ୍ଗା ଫୋପଡ଼ା ହେଇ ପଡିଛି l ସେ ବୁଝି ପାରିଲା, ଏସବୁ ଦଙ୍ଗାକାରୀ ଙ୍କ କାରନାମା l ଗୋଟିଏ ଟେବୁଲ ଉପରେ ଖାଲି ଚାରି ଖଣ୍ଡ ରୁଟି ଆଉ ଡାଲି ଗୋଟିଏ ପ୍ଲେଟ ରେ ଥୁଆ ହେଇଚି l ଆଉ ଚେୟାର ରେ ବସିଥିବା ଲୋକ ଟାକୁ ଦେଖି ସ୍ପଷ୍ଟ ଭାବେ ବାରି ହେଉଥିଲା ଯେ ସେ ନିହାତି ମାଲିକ ହିଁ ହେଇଥିବେ l ମାଲିକ ଜଣଙ୍କ ସ୍ମିତହାସ୍ୟ ଦେଇ ପ୍ଲେଟ ଟା’ ବବୁଲ ଆଡକୁ ବଢ଼େଇ ଦେଇ ଖାଇବାକୁ ଇଙ୍ଗିତ କଲେ l କିନ୍ତୁ ତାଙ୍କରି ଏଇ ଦୟା ପଣ କୁ ବବୁଲ ସହଜେ ଗ୍ରହଣ କରି ପାରୁନଥିଲା l ମାଲିକ ଜଣଙ୍କ ତା’ ପରେ ବବୁଲ କୁ ନିଜ ଜୀବନ ରେ ଘଟିଥିବା ଏକ ନିଚ୍ଛକ କାହାଣୀ ବବୁଲ କୁ ଶୁଣାଉଥିଲେ l କାହାଣୀ ସରିଲା ବେଳକୁ ବବୁଲ ର ଆଖିରେ ଲୁହ ଜକେଇ ଆସିଥିଲା l ଦୁଃଖରେ ନୁହେଁ ମ ଖୁସିରେ l ବବୁଲ ଥତମତ ହେଇ କହିଲା, ” ତୁମେ ସେଇ…. ବାରବୁଲା ବା..ବୁ..ଲା l” ମାଲିକ ଜଣଙ୍କ କାନ୍ଧରୁ ଗାମୁଛା କାଢି ନେଇ ବବୁଲ ର ଲୁହ ପୋଛୁ ପୋଛୁ କହିଲେ, ” ଆରେ ତୁ ସେଇ ଛୁଆ… ଝରକା ପଟୁ…. ସବୁଦିନ ମୋ ପାଇଁ…. ରୁଟି…. I” ବାବୁଲା ମୁଣ୍ଡ ଟୁଙ୍ଗାରି ହଁ କଲା l ମାଲିକ ଜଣଙ୍କ କହିଲେ ” ଭଲ ହେଲା, ତୁ ଆଉ ରୁଟି ଫିଙ୍ଗିଲୁନି ମୋ ପାଇଁ.. ନହେଲେ ମୁଁ ସେଇ ବାରବୁଲା ହେଇକି ହିଁ ଥାଆନ୍ତି l” ବବୁଲ ପ୍ଲେଟ ଚାଟି ସଫା କରିଦେଲା l ଆସିଲା ବେଳକୁ ମାଲିକ ଜଣଙ୍କ ବବୁଲ କୁ କୁଣ୍ଢେଇ ନେଇ ମୁଣ୍ଡରେ ହାଲକା ଚୁମା ଟିଏ ଦେଇ, ସେପଟେ ହସି ହସି କି କହିଲେ, “ଆରେ ମୋ ପାଇଁ ରୁଟି ବନାଓ, ମୋର ତ ସବୁ ରୁଟି ତ ଏ ଟୋକା ଖାଇଦେଲା l
Dr. Kartikeswar Jena
Burdwan, west Bengal
293 total views, 1 views today