ରୂପାନ୍ତର
ରୁପମତୀ ମଧୁରିମା ମୋହମନ୍ତ୍ରେ
ପିଙ୍ଗଳା ଯେ ଉନ୍ମାଦିନୀ
ଧନୀ ପୁରୁଷର ପ୍ରତାରଣା ପାଇ
ଜ୍ଞାନୋଦୟ ବିରହିଣୀ।
ନିମିଷକ ଭୋଗ ଆଶା ପୂଜାରିଣୀ
ପାର୍ଥିବ ପ୍ରେମକୁ ଭୋଗୀ
ଐଶ୍ବରିକ ପ୍ରେମେ ଉଦବୁଦ୍ଧ ହୋଇ
ଆସକ୍ତି କାମନା ତ୍ୟାଗୀ।
ରୂପସଜ୍ଜା ଆଭୂଷଣ ବିଭୂଷଣ
ବାହ୍ୟ ଆକର୍ଷଣ ଛାଡ଼ି
ଅପେକ୍ଷାରତା ସେ ପରମ ଆରାଧ୍ୟ
ଐଶ୍ଵରିକ ପ୍ରେମ ବୁଡି।
ଶାଶ୍ୱତ ପ୍ରେମର ମନ୍ଦାକିନୀ ନୀରେ
ପରମ ସୁଖ ପ୍ରାପତି
ଆସକ୍ତି ନୁହେଁ ସେ ବୈରାଗ ଜୀବନ
ଜୀବନର ଶାନ୍ତି ମୁକ୍ତି।
ଅବଧୂତଙ୍କର ଚବିଶ ଗୁରୁରୁ
ସପ୍ତଦଶ ଗୁରୁ ତୁମେ
ପ୍ରତୀକ୍ଷାର ଅନ୍ତ ଦୁଃଖ ଅବସାଦ
ଦୂର ବିଭୁଙ୍କ ଚିନ୍ତନେ।
ବାସନା କାମନାର ସାଁବାଳୁଆରୁ
ରୂପାନ୍ତର ପ୍ରଜାପତି
ଈଶ୍ଵର ଭକତି ଆଣଇ ପ୍ରଶାନ୍ତି
ଜୀବନରୁ ମହାମୁକ୍ତି।
ଡଃ ପ୍ରିୟମ୍ବଦା ସାମଲ
ଭୁବନେଶ୍ୱର।