( ରଫ୍ ଖାତା )
ରମା ଦିଦି..ରମା ଦିଦି…ଶ୍ଯାମାକୁ ଚାରିଆଡ଼େ ଖୋଜିଲୁ । କିନ୍ତୁ କୋଉଠି ପାଇଲୁନି । ବ୍ଯସ୍ତ ହୋଇ ପଡିଲେ ରମା ଦିଦି । ବାହାରି ଗଲେ ଶ୍ଯାମାର ରୁମ୍ କୁ । କାଳେ କିଛି ସନ୍ଧାନ ମିଳିବ …
ରମା ଦିଦି ଓରଫ୍ ରମାଦେଈ ଦାସ୍ ଥିଲେ ସ୍ନିଗ୍ଧଛାୟା ଅନାଥାଶ୍ରମର ପରିଚାଳିକା । ସ୍ବଭାବରେ ବହୁତ୍ ରୁକ୍ଷ ଓ କଠୋର । ପାତରଅନ୍ତରରେ ତାଙ୍କ ଦିନ ବିତୁଥିଲା । ଶ୍ଯାମା ପିଲାଦିନରୁ ବାପ ମା ପରିତ୍ୟକ୍ତା । ତା ଦେହର ରଙ୍ଗ ପୂରାପୂରି କଳା । ସେଥିପାଇଁ ସେ ସମସ୍ତଙ୍କ ଘୃଣାର ପାତ୍ର । ନିଜ ବାପ ମା ବି ତାକୁ ଜନ୍ମ ପରେ ରାସ୍ତା କଡକୁ ଫୋପାଡି ଦେଲେ । କେହି ଜଣେ ଆଣି ସେହି ଅନାଥାଶ୍ରମରେ ଛାଡିଦେଲା । ହେଲେ ସେଠି ମଧ୍ଯ ତାକୁ ସମସ୍ତେ ଘୃଣା କରୁଥିଲେ । କେହି ପାଖ ପୂରାଉ ନ ଥିଲେ । ଶ୍ଯାମା ସବୁ ପ୍ରକାର କାମ କରୁଥିଲା । କାମବେଳେ ରମା ଦିଦି ମଧ୍ଯ ତାକୁ ନିର୍ଦ୍ଦୟ ଭାବରେ ଖଟଉଥିଲେ । ସବୁକୁ ବିଚାରି ଚୁପ୍ ଚାପ୍ ସହି ଯାଉଥିଲା । ହେଲେ ହଠାତ୍ ସେଦିନ ସେ କୁଆଡେ ଚାଲି ଗଲା; କେହି ଜାଣିପାରିଲେ ନାହିଁ ।
ରମା ଦିଦି ଶ୍ଯାମା ଖଟ ତଳୁ ଗୋଟେ ରଫ୍ ଖାତା ପାଇଲେ। ରଫ୍ ଖାତାର ପ୍ରଥମ ପୃଷ୍ଠାରେ ଗୋଟେ ଚିଠି ଲେଖିଥିଲା ଶ୍ଯାମା । ତାକୁ ପଢି ସମସ୍ତଙ୍କ ଆଖିରୁ ଲୁହ ଝରିଗଲା । ଚିଠିଟି ଏପରି ଥିଲା ……
ଶୀର୍ଷକ – (ଭଗବାନଙ୍କୁ ଏକ ଅସୁନ୍ଦର ପତ୍ର )
ହେ ପରମେଶ୍ୱର,
ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଗ୍ରହଣ କରିବ । ଆଶା ଭକ୍ତ ଜନର ଦଃଖ ହରଣ କରୁଥିବ । ଏବେ ମୋ ଗୁହାରୀ ଟିକେ ଶୁଣିବ ।
ସମସ୍ତେ ମତେ କାଳି କାଳି କହି ଘୃଣା କରୁଛନ୍ତି । କେହି ପାଖ ପୂରାଉ ନାହାଁନ୍ତି । ମୋର କି ଦୋଷ ପ୍ରଭୁ? ମୁଁ ପଢିଛି ଶରୀରର ରଙ୍ଗ ଶରୀରରେ ଥିବା ମେଲାନିନ୍ ନାମକ କଣିକା ଉପରେ ନିର୍ଭର କରେ । ଯାହା ଶରୀରରେ ବେଶି ଥାଏ ତାର ରଙ୍ଗ କଳା ଓ ଯାହା ଶରୀରରେ କମ୍ ଥାଏ ତାର ରଙ୍ଗ ଗୋରା । ଅର୍ଥାତ୍ ମୋ ଶରୀରରେ ସେହି ପ୍ରାକୃତିକ କଣିକାର ମାତ୍ରା ଅଧିକ ଅଛି । ଲୋକେ ପ୍ରାକୃତିକ ଜିନିଷକୁ ଭଲ ପାଆନ୍ତି ହେଲେ ମୋତେ କାହିଁକି ଏତେ ଘୃଣା ? ସୁନ୍ଦରତା କଣ ଖାଲି ଦେହରେ ମୁଁହରେ ଥାଏ ? ହୃଦୟର ନିର୍ମଳତା କାହାକୁ ଦେଖା ଯାଉନି । ଲୋକଙ୍କୁ ବିଭିନ୍ନ ପ୍ରକାରର ରଙ୍ଗର ଜିନିଷ ଦରକାର । ହେଲେ ମୋ ଚେହେରାକୁ କାହିଁକି ଗୋଟେ ନିଆରା ସୃଷ୍ଟି ଭାବୁ ନାହାଁନ୍ତି? ମୁଁ ଜଣକୁ ମନ ପ୍ରାଣ ଦେଇ ଭଲ ପାଉଥିଲି । କେହି ନ ହେଲେ ବି ସେ ମୋର ହାତ ଧରିବ , ସାରା ଜୀବନ ସାଥୀ ହୋଇ ରହିବ ଭାବୁଥିଲି । ହେଲେ ସେ ବି ମତେ ମନା କରିଦେଲା । ଏଇ ଆଶ୍ରମରେ ଜୀବନ ବିତାଇବାକୁ ଚାହିଁଲି ; କିନ୍ତୁ ଏମାନେ କେହି ବି ମତେ ଦୟା ଦେଖଉ ନାହାଁନ୍ତି । ଏଠି ମୋର ମୂଲ୍ଯ କିଛି ବି ନାହିଁ । ମୋ ମାନ ସ୍ବାଭିମାନ ସବୁ ମାଟିରେ ମିଶି ଯାଉଛି । ତେଣୁ ମୁଁ ଏପରି ଏକ ଯାଗାରୁ ଚାଲି ଯିବି ।
ଆଶା କରୁଛି ତୁମେ ଏଇ ଅନାଥକୁ ଏବେ ସାହା ହେବ ।
ଇତି
ତୁମର ଅଭାଗିନୀ ଭକ୍ତ ।
ଏସବୁ ପଢି ସାରି ସମସ୍ତେ ଭୋ ଭୋ କାନ୍ଦି ଉଠିଲେ । ସମସ୍ତେ ପଶ୍ଚାତାପ କରୁଥିଲେ ଶ୍ଯାମା ପ୍ରତି ବ୍ଯବହାରକୁ ନେଇ…
ଗୋଟିଏ ରଫ୍ ଖାତାର ମୂଲ୍ଯ ଯେମିତି କେହି ବୁଝି ପାରନ୍ତିନି; ଅଳିଆ ଭାବି ଫିଙ୍ଗି ଦିଅନ୍ତି । ହେଲେ ସେଇ ରଫ୍ ଖାତା ହିଁ ସବୁ ପ୍ରକାର ଭାବକୁ ସାଉଁଟି ରଖିଥାଏ ।ସେହିପରି ଶ୍ଯାମା ପାଖରେ ଥିଲାବେଳେ କେହି ତାର ମୂଲ୍ଯ ବୁଝି ପାରିଲେ ନାହିଁ । ସେ ଚାଲିଗଲା ପରେ ସମସ୍ତେ ପଶ୍ଚାତାପ କରୁଥିଲେ…..
(ଅର୍ଚ୍ଚନା ତ୍ରିପାଠୀ, ସୁବର୍ଣ୍ଣପୁର)