ରଫଖାତା
°°°°°°°°°°
ସେଦିନ ବହିଥାକ ସଜାଡୁ ସଜାଡୁ ନଜରରେ ଆସିଲା ମୋ ଅତିପ୍ରିୟ ରଫଖାତାଟି,ଯାହା ଭିତରେ ମୁଁ ସୂତ୍ର ଲେଖି ଖୋଜିପାଉଥିଲି ଗାଣିତିକ ସମସ୍ୟାର ସମାଧାନ l ଖାତାରେ ଆଗ ପୃଷ୍ଠାରେ ମୋ ନାଁ ଆଉ ପଛ ପୃଷ୍ଠାରେ ଉପାସନା ପାଇଁ କିଛି ଓଡ଼ିଆ ଶାୟରୀ ଓ ତା ନାଁ’ର କିଛି ରୂପାଙ୍କନ l ଖାତାର ମଝିରେ ସାଇତି ରଖୁଥିଲି ତା’ର ହାତ ଲେଖା ଚିଠି ଓ ତା’ର ଛାୟାଚିତ୍ର ସବୁକୁ l ଉପାସନାଠାରୁ ବିଚ୍ଛେଦ ହେବା ପରେ ଏ ଖାତାଟି ଯେମିତି ଅଦରକାରୀ ପାଲଟିଯାଇଥିଲା ମୋ ପାଇଁ l
କିନ୍ତୁ ଆଜି ଖାତାଟିକୁ ପାଇବା ପରେ ପୁଣି ଥରେ ଇଚ୍ଛା ହେଲା ସେ ଅତୀତର ସବୁ ସ୍ମୃତିକୁ ମନେପକାଇବା ପାଇଁ l ଚାକିରୀର ଦୁଇ ବର୍ଷ ପରେ ଦେଖାହେଇଥିଲା ଉପାସନା ସହ l ଅଜଣାରୁ ବନ୍ଧୁତା ଏବଂ ବନ୍ଧୁତାରୁ ସମ୍ପର୍କ ନିବିଡ଼ ହୋଇ ରୂପ ନେଇଥିଲା ପ୍ରେମର l ତାପରେ ମନସ୍ଥ କରିଥିଲୁ ବାନ୍ଧିହେବାକୁ ହେବାକୁ ବିବାହ ବନ୍ଧନରେ l କିନ୍ତୁ ବିଧିର ବିଧାନ ଥିଲା ଅଲଗା l ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଥିବା ଉପାସନା ଦିନେ ମୋ ଠାରୁ ବିଚ୍ଛେଦ ହୋଇଯିବ ବୋଲି ଜାଣିନଥିଲି l
ବିରହ କୁରାଢ଼ିରେ କ୍ଷତାକ୍ତ କରି ଉପାସନା ଚାଲିଗଲା ଆଉ କାହା ସହ ସଂସାର ଗଢ଼ିବ ବୋଲି l ଅହରହ ଯନ୍ତ୍ରଣା ଦାଉରେ ବଞ୍ଚି ଲୁହକୁ ପାଥେୟ କରିନେଲି ସିନା, କିନ୍ତୁ ସେ ଆଉ ଫେରିଲା ନାହିଁ l କିନ୍ତୁ ତା ନିଷ୍ଠୁରତା ପାଇଁ ମୋ ମନରେ ତା ପ୍ରତି ଟିକେ ବି ଘୃଣା ନାହିଁ l ବରଂ ଆଜି ବି ବଞ୍ଚୁଛି ବୃଥା ସ୍ବପ୍ନ ଦେଖି ତା ଫେରିବା ଆଶାକୁ ନେଇ l
ସେ ରଫଖାତା ପରି ତା ପ୍ରେମକୁ ମଧ୍ୟ ସାଇତି ରଖିଛି ମୋ ହୃଦୟ ପ୍ରକୋଷ୍ଠରେ l ହୁଏତ ସେ ପ୍ରେମ ସ୍ମୃତି ସବୁ ଏବେ ଅଦରକାରୀ ହୋଇପାରେ ମୋ ପାଇଁ, କିନ୍ତୁ ସେ ସବୁ ଦିନେ ଥିଲା ମୋ ଜୀବନର ସୂତ୍ର l କାରଣ ରଫଖାତାର ଗାଣିତିକ ସୂତ୍ର ପରି ଉପାସନା ଥିଲା ମୋ ବଞ୍ଚିବାର ସୂତ୍ର l ଏତିକିବେଳେ “ବାପା” ଡାକରେ ମୁଁ ଫେରିଆସିଲି ମୋ ବର୍ତ୍ତମାନକୁ l ଅଜାଣତେ ଆଖିରେ ଜାକି ହୋଇଯାଇଥିଲା ଦୁଇ ଟୋପା ଲୁହ l ଲୁହ ପୋଛିଦେଇ ହସିହସି କୋଳାଇ ନେଲି ମୋ ଝିଅ ଉପାସନାକୁ l ଝିଅ ପଚାରୁଥିଲା, “ବାପା ! ଆଖିରେ କଣ ପଡ଼ିଗଲା କି ?”
ପ୍ରିୟବ୍ରତ ପରିଡ଼ା
ଯୋରନ୍ଦା,ଢ଼େଙ୍କାନାଳ
Priyabrat Parida
761 total views, 1 views today
ଜବରଦସ୍ତ ଲେଖା
ଧନ୍ୟବାଦ ଦିଦି