*ରଫ୍ ଖାତା*
ଭୋର୍ ଚାରିଟାରେ ମୋବାଇଲ୍ ଆଲାରାମ୍ ବାଜି ଉଠିଲା । ଧଡ୍ କରି ଖଟ ଉପରେ ଉଠି ବସିଲେ ସୁରମା । ଏଇ ନିତିଦିନିଆ ଅଭ୍ୟାସ ତାଙ୍କର । ଚାରିଟା ରୁ ଉଠି ବାସି ଘର ଓଳେଇବା ପରେ ଗାଧୁଆ ପାଇଁ ସଜବାଜ । ବାଥ୍ ରୁମକୁ ଯିବା ଆଗରୁ ଦେଖିବେ ଆଜି କାହାର କ’ଣ ଧୁଆ ହେବ । ଲୁଗା ଧୋଇ ଗାଧୋଇ କି ଆସିଲା ବେଳକୁ ସାଢ଼େ ପାଞ୍ଚଟା । ତୁଳସୀ ପୂଜା ପରେ ଠାକୁର ପୂଜା ସରୁ ନସରୁଣୁ ପତି ଦେବଙ୍କ ଡାକରା,ଆରେ ଏଯାଏଁ ଚା ଦେଲନି ଯେ ! ତରତର ରେ ପସିବେ ରୋଷେଇ ଘରେ । ଦି କପ୍ ଚା କରି ପତି ଙ୍କୁ କପ୍ ଟେ ଦେଲାପରେ ନିଜେ ଟିକିଏ ବସିପଡ଼ି ଚା ଟିକକ ପିଇବେ ଢକ୍ ଢକ୍ କରି । ସାଢ଼େ ଛଅଟା ରେ ଉଠି ପଡ଼ିବ ନାତୁଣୀ ସ୍ନେହା । ସାତଟାରେ ତାର ଟିଉସନ୍ । ନାତୁଣୀ କୁ ସଜ ବାଜ କରି କ’ଣ ଟିକିଏ ଖୁଆଇ ଟିଉସନ୍ ପାଇଁ ତା ଜେଜେ ଙ୍କ ସହିତ ପଠେଇ ସାରିବା ପରେ ଯାଇ ରୋଷେଇ ର ଆରମ୍ଭ । ପୁଅ ବୋହୂ ଉଠିଲା ବେଳକୁ ଆଠଟା ବାଜି ସାରିଥାଏ । ଦୁଇ ଜଣ ଚାକିରୀ କରନ୍ତି ପ୍ରାଇଭେଟ୍ କମ୍ପାନୀରେ । କହନ୍ତି, ଲେପ୍ ଟପ୍ ରେ କମ୍ପାନୀ କାମ କରୁକରୁ ଶୋଇବା ଡେରି ହୁଏ । ତେଣୁ ସକାଳୁ ଉଠି ପାରନ୍ତି ନି । କିଛି କହନ୍ତି ନାହିଁ ସୁରମା । ସମସ୍ତ ଙ୍କ ପାଇଁ ଖାଇବା ରେଡ଼ି କରନ୍ତି ସବୁଦିନେ । ସମସ୍ତ ଙ୍କ ଟିଫିନ୍ ସଜାଡି ଅଫିସ୍ ବା ସ୍କୁଲ ଗଲା ବେଳେ ତାଙ୍କ ହାତରେ ଧରେଇ ଦିଅନ୍ତି ହସି ହସି । କେବେ ପ୍ରତିବାଦ ମଧ୍ୟ କରନ୍ତି ନି ।
ନାତୁଣୀ ଏଇ ବର୍ଷ ଅଷ୍ଟମ ରୁ ନବମ କୁ ଯିବ । ସେଦିନ ଟିଉସନ୍ ରୁ ଆସି ରେଡି ହୋଇ ଗଲା ସ୍କୁଲ ଯିବା ପାଇଁ । ତା ବାପା ମାଁ ଖାଇ ସାରି ଅଫିସ୍ ଯିବା ପାଇଁ ସଜ ହୋଇ ସାରିଥିଲେ । ହଠାତ୍ ପାଟି କଲା “ମୋ ରଫ୍ ଖାତା କାହିଁ ?” ତା ମାଁ କୁ ପଚାରିଲା ଦେଖିଛ କି ବୋଲି ସେ ମନାକଲା ଦେଖିନି ବୋଲି । ଟିକିଏ ଶୀଘ୍ର ଖୋଜି ଦେବାକୁ ନେହୁରା ହେଲା । କିନ୍ତୁ ସେ କହିଲା ମୋର୍ ଡେରି ହେଉଛି, ଜେଜେ ମାଁ ଙ୍କୁ କହ ଖୋଜି ଦେବେ । ସୁରମା ଙ୍କ ପାଖକୁ ଆସି ପୁଣି ନେହୁରା ହୋଇ କହିଲା ପ୍ଲିଜ ଜେଜେ ମାଁ ଖୋଜି ଦିଅନା । ସୁରମା ମୁଣ୍ଡ କୁ ଟିକିଏ ଆଉଁସି ଦେଉ ଦେଉ କହିଲେ “ତୁ ପ୍ରଥମେ ଖାଇଦେ, ମୁଁ ଦେଖୁଛି ପାଇବି ଯଦି” । ସ୍ନେହା ଖାଇ ବସି କହୁ ଥାଏ ମିଳିଲା କି ଜେଜେ ମାଁ ? ସୁରମା ପଢ଼ା ଘରଟା ସାରା ଖୋଜିଲେ ହେଲେ ପାଇଲେନି । ନାତୁଣୀ କୁ କହିଲେ କେଉଁଠି ରଖିଛୁ ଝିଅ ,ଟିକେ ମନେ ପକେଇ କହ ମୁଁ ସେଇଠି ଖୋଜିବି । ସ୍ନେହା କହିଲା ମୋ ମନେ ଥିଲେ ନେଇ ଆସନ୍ତି କି ଜେଜେ ମାଁ । ଟିକେ ଶୀଘ୍ର ଖୋଜନା,ବସ୍ ଟାଇମ୍ ହୋଇଗଲାଣି । ସୁରମା କହିଲେ ତାହେଲେ ଆଜି ରଫ୍ ଖାତା ବିନା ସ୍କୁଲକୁ ଯାଉନୁ, ଅସୁବିଧା କ’ଣ । ସଙ୍ଗେ ସଙ୍ଗେ ସ୍ନେହା କହିଲା ନାଇଁ ମ, ରଫ୍ ଖାତା ବିନା କ’ଣ ପଢା ହୋଇ ପାରେ ନା ତୁମ ବିନା ଏ ଘର ଚଳି ପାରେ । ଏ ଘରର ସମସ୍ତ ଖବର ଯେମିତି ତୁମେ ବୁଝ, ରଫ୍ ଖାତା ରେ ବି ସେମିତି ସମସ୍ତ ପାଠ ର ଚାବି କାଠି ରହିଛି ପରା । ଠିକ୍ ଏତିକି ବେଳେ ବାସି ଖବର କାଗଜ ଥାକରେ ଖାତା ଟିଏ ଦେଖି ତାହା ଆଣି ଦେଖଉ ଦେଖଉ କହିଲେ , ଏଇଟା କି ତୋ ରଫ୍ ଖାତା ? ଖୁସି ହୋଇ ଗଲା ସ୍ନେହା । ଗଳାରେ ଓହଳି ପଡି କହିଲା “ମୋ ସୁନା ଜେଜେ ମାଁ”! ସୁରମା କହିଲେ ଏତେ ଦରକାରୀ ଖାତାକୁ କିଏ କ’ଣ ଏଠି ସେଠି ପକାଏ ? ତାର ଯତ୍ନ ନେବା କଥା ନା- । ଆଉ ଟିକିଏ ଭିଡ଼ି ଧରି ଗେଲ କରି କହିଲା ହଁ ପରା ଜେଜେ ମାଁ, ତୁମେ ସମସ୍ତ ଙ୍କ ଖିଆଲ୍ ରଖୁଛ, ତୁମେ ନଥିଲେ କାହାରି କାମ ହୁଏ ନି । ହେଲେ ମୁଁ କ’ଣ ଦେଖୁନି ତୁମର ଯତ୍ନ କେମିତି ନିଆ ହେଉଛି ଏ ଘରେ । ବହି ବସ୍ତାନି ଧରି ବାହାରିଗଲା ସ୍ନେହା । ସୁରମା ଙ୍କ ଦୁଇ ଆଖିରୁ ଦୁଇ ଧାର ଲୁହ ବାହାରିଗଲା । କିନ୍ତୁ ସେ ନିଜେ ବି ବୁଝି ପାରିଲେ ନାହିଁ ସେ ଲୁହ ଖୁସିର ନା ଦୁଃଖର ।
ସୁଦ୍ରୁମା ପଣ୍ଡା
ଭଟଲି ବରଗଡ଼
Sudruma Panda
Bhatli Bargarh