ରଫ୍ ଖାତା (ବାସ୍ତବ ଜୀବନର କରୁଣ କାହାଣୀ ଟିଏ )
—————————————————————-
ହଇଜାରେ ବାପା ମାଆ ଗଲା ପରେ ସାନଭାଇ ମଂଗୁଳୁ ର ସମସ୍ତ ଦାଇତ୍ବ ଓ ଘରଟା ଯାକର କାମ ଏଗାର ବାର ବର୍ଷର ପାର ତୁଲେଇ ନିଏ।ବାଡିର ସଜନା ଶାଗ ଓ ପଖାଳ ଦିଇଟା ତାଙ୍କର ନିତି ଦିନିଆ ଖାଦ୍ୟ।ଆଇଁସ କେବେ ପାଟିରେ ବାଜିଥିଲା ଛୁଆ ଦିଟାର ମନେ ନାହିଁ। ସବୁଦିନ ସକାଳୁ ପାର ମଂଗୁଳୁ କୁ ସ୍କୁଲ ପଠେଇ ଦେଇ ଘରକାମରେ ଲାଗି ପଡେ। ରୋଷେଇ ସାରିଲେ ତ ବେଳାରେ ଖାଇବେ। ଏବେ ଗାଁ ରେ ବି କାହାଘରେ ମେଳା ବାହାଘର କି ବ୍ରତଘର ପଡିଲେ ପାରକୁ ସମସ୍ତେ ଡାକନ୍ତି। ଜାମାପଟା ଦିଖଣ୍ଡ ଦିଅନ୍ତି ଓ ବଳକା ଭାତ ତରକାରୀ। ସେତିକି ରେ ଭାଇ ଭଉଣୀ ଦୁଇ ତିନିଦିନ ଚଳି ଯାଆନ୍ତି।
ସେଦିନ ପାର ଖୁବ୍ ଯୋର ରେ କାନ୍ଦୁଥାଏ। ପଧାନେ ପଚାରିଲେ କାହିଁକି କାନ୍ଦୁଛୁ ପାର? କିଏ ପଚାରିଲେ ପାର ଆହୁରି ଯୋର ରେ କାନ୍ଦେ। ଶେଷରେ ମଂଗୁଳୁ କହିଲା, “ମୁଁ ବହିରେ ଗାରେଇ ଥିବାରୁ ପାର ବହୁତ ପିଟିଲା ଆଉ ପିଟି ସାରି କାନ୍ଦୁଛି।” ପଧାନେ କହିଲେ ପାର ଗଲୁ ଆମ ଘରୁ ପୁରୁଣା ଖାତା କେତେଟା ଆଣିଦେବୁ। ମଂଗୁଳୁ ସେହିଥିରେ ରଫ୍ କରିବ। ପାରର କାନ୍ଦ ବନ୍ଦ ସେତିକିରେ।
ଛୋଟ ଛୁଆ ଦିଟାକୁ ଗାଁ ଟା ସାରା ଭଲ ପାଆନ୍ତି। କାଉ କୁକୁର ବି ଚିନ୍ହନ୍ତି ଭାଇ ଭଉଣୀଙ୍କୁ।
ସେଦିନ ଗ୍ରାମ ଦେବତୀ ଙ୍କ ପିଢ଼ ପୂଜା। ବୋଦା ବଳି ପଡି ଗାଁ ସାରା ଭାଗବଣ୍ଟା ହେବ। ହେଲେ ପାର କୋଉ ଚାନ୍ଦା ଦେଇଛି ଯେ ମାଂସ ଭାଗ ପାଇବ। ତଥାପି ଆଇଁସ ଟିକେ ଖାଇବାରଲୋଭ ପାରକୁ ମାଂସ କଟା ହେଉଥିବା ବୁଦୁବୁଦିଆ ଜଂଗଲକୁ ଟାଣି ନେଲା। ଅଦରକାରୀ ମାଂସ କୁ ଫୋପାଡ଼ି ଦେବାକ୍ଷଣି କୁକୁର ଗୁଡାକ ବିକଟାଳ ଶବ୍ଦ କରି ମାଡ ହୋଇ ଖାଉଥିଲେ। ପାରର ନଜର ସେହି ଫୋପଡା ଯାଉଥିବା ମାଂସ ଉପରେ ପଡିବାରୁ ବାଡି ଖଣ୍ଡେ ଧରି କୁକୁର ଗୁଡାକୁ ହଟାଇବାକୁ ଲାଗିଲା । ଚିନ୍ହା କୁକୁର ଗୁଡାକ ସିନା ହଟିଗଲେ ହେଲେ କୁଆଡୁ ଗୁଡାଏ ବଳବାନ କୁକୁର ଆସି ପାରକୁ ଟେକିନେଇଗଲେ ନିକଟସ୍ଥ ବୁଦାମୂଳକୁ।
କୁକୁରଙ୍କ ଭୋ ଭୋ ଶବ୍ଦ ରେ ପାର ର ବିକଳ ଚିତ୍କାର ମିଳେଇ ଗଲା।
ଚେତା ସିନା ଫେରିଲା ପାର ର ହେଲେ ସବୁ ଦିନ ପାଇଁ ଘରକୁ ଫେରିବାର ବାଟ ଭୁଲିଗଲା ପାର।ସେହିଦିନଠୁ ବୁଲୁଛି ଯେ ବୁଲୁଛି। ପାର ପରି ସୁନ୍ଦର ପୂଣ୍ୟ ପୋଥିଟିକୁ ଅମଣିଷ କୁକୁର ଗୁଡାଏ ପାଦରେ ଦଳି ରଫ୍ ଖାତା କରିଦେଲେ ।
*************
ଜିନାତମାମ୍ ଦର୍ଜୀ
ବରଗଡ଼