– ମଲାନଈ
କାହିଁ କେଉଁ ଅନାଦି କାଳରୁ
ବହି ଆସିଛି ଏ ନଈ,
କାଳର କରାଳ ଗରଭେ
ଆଜି ତାର ସୌନ୍ଦର୍ଯ୍ୟ
ଯାଇଛି ଲୀନ ହୋଇ ।
କେତେ ଯେ ଗିରି
ଲଂଘନ କରି
କେତେ ଯେ କାନନ
ବୁକୁ ଚିରି
ଆଉ କେତେ ଯେ ନଗର,ଗ୍ରାମ ମାନ
ଅତିକ୍ରମ କରି ବହି ଆସିଛି
ଏ ନଈ ।
ନଦେଇ କାହା ମନେ
ଟିକେ ବି କଷ୍ଟ
ଖାଲି କରିଛି ପୁଣ୍ୟ କାମ
ଏ ଜଗତ ଜଣଙ୍କ
ହିତ ପାଇଁ ।
କହୁଛି ତଟିନୀ
ଶୁଣ ହେ ମଣିଷ ଜାତି
ଟିକେ ଶୁଣ
ମୋ ଜୀବନର କଷଣ
କରିଛ ହରଣ ମୋ ଭୂଷଣ ।
ପଡ଼ିଛି ବିପଦ
ମୋ ଉପରେ ଯେମିତି ,
ପଡ଼ିବ ତୁମ ଉପରେ
ଏପରି ବିପଦ
ଦିନେ ଜାଣ ।
ମୋ କୂଳେ ଗଢି କଳ
ତେଜି ଦୂଷିତ ଜଳ,
ତନୁ ମୋର
କରିଛି ଆବିଳ ।
କିଆ,କେତକୀ, ବେତ ବନ
ମୋ ତୀରେ ଶୂନ୍ୟ
ହୋଇଯାଇଛି ଆଜି,
କୋଇଲି ର ମିଠା
ମିଠା କୁହୁ ତାନ
ସତେ ଶୁଣିବାକୁ ମିଳୁନାହିଁ
ମୋ କୂଳେ ଆଉ ଆଜି ।
କହୁଛି ନଦୀ ଶୁଣ ହେ
ବିଧାତା ମୋ ଡାକ
ଟିକେ ଶୁଣ,
ଏ ମାନବ ଜାତି
କ୍ଷୟ କରି ପ୍ରକୃତି
ଧିରେ ଧିରେ କରୁଛି
ଏ ସୃଷ୍ଟିର ବିନାଶ ଜାଣ ।
ଏ ଦୁନିଆ ଆଖିରେ
ମଲା ନଈର ପରିଚୟ
ଯାଇଛି ମୁଁ ପାଇ,
ଏତିକି ବିନତି
ରଖିବ ହେ ଈଶ୍ୱର
ଏ ମଣିଷ ଜାତିକୁ
ଦେବ ମହତ ଶିକ୍ଷା
ସଠିକ୍ ମାର୍ଗରେ
ଚାଲିବା ପାଇଁ ।
ରାଇମୋହନ ରାଉତ
ଢେଙ୍କାନାଳ, ଓଡିଶା