ମଲା ନଈ
*******
ନଈ ଆଜି ମରିନି
ମରିଚି ଯନ୍ତ୍ରଣାର ତତଲା ଲୁହ
ଶୁଖିଚି ଅନ୍ତହୀନ ସୁଅ
ଏହା କି ଆଗାମୀ ଦିନର ନିର୍ଜନତା
ନା ବୋଧହୁଏ ଆହ୍ବାନର ବାର୍ତ୍ତା।
ତୃଷାର୍ତ୍ତ ପାଶେ ନାହିଁ ପଥ
ଖୋଜିବା ପାଇଁ ବୁନ୍ଦାଏ ଜଳ
ପଥିକ ଚାଲି ଆସେ ନବପ୍ରାଣ ପାଇଁ
ଶୁଖିଲା ତଣ୍ଟି ଚିପି ହୋଇଯାଏ
ସ୍ବାର୍ଥପର ମଣିଷଙ୍କ ପାଖେ।
ମା’ର କୋଳ ସନ୍ତାନର ଭିକ ଲୋଡ଼େ
ଅଥଚ ସେଇ ସନ୍ତାନ ତାକୁ ପର କରେ
ଏକୁଟିଆ ହୋଇଯାଏ ବୃଦ୍ଧା ବୟସରେ
ମନ୍ଦିର ଦୁଆରେ ବସି କ’ଣ ମାଗେ କେଜାଣି
ଆଖିରୁ ଲୁହ ମଧ୍ୟ ଝରାଏ ନାହିଁ।
ଖୋଳି ଦେଲେ ମୁଠାଏ ବାଲି
ବୋହିଯିବ ଛାତି ଚିରି ରକ୍ତର ବିଭୀଷିକା
ଭାସି ଯିବ କେତେ କାହାର କୋହ
ତଥାପି କି ପାରିବ ଆଖି ହଳକ
ନଈର ଦୁର୍ଦ୍ଦଶାକୁ କରିବ ଚିରଅନ୍ତ।
ତେଜି ଉଠନ୍ତା କି ତା’ର ଯଉବନ
କୂଳ ହୀନ ନଈଟା ପୂରି ଉଠନ୍ତା କି
ପ୍ରକୃତିର ଗର୍ଭରେ ପୁଣି ନାଚି ଉଠନ୍ତା କି
ଜୀବନଟା ତା’ର ପୁଣି କଅଁଳି ଉଠନ୍ତା କି
ପୂର୍ଣ୍ଣତାର ଅଭିଳାଷ ନେଇ ବସିଛି ମୁହିଁ…..।
ପ୍ରମିଉମିତା ଜାନା
Pramiumita Jana
Puri