ମଲା ନଈ
____________________________
ଶ୍ରାବଣ ର ଅହରହ ବର୍ଷା ରେ
ସବୁଜିମା ପୂର୍ଣ୍ଣ ଧରାରେ
ସାଜିଛି ହୃଦୟ ମଲା ନଈ
ବିଦୀର୍ଣ୍ଣ ହେଲାଣି ଶୁଷ୍କ ହୋଇ
କେବଳ ତୁମରି ଅପେକ୍ଷାରେ
ଭବିଷ୍ୟରେ ମିଳନ ର ସମ୍ଭାବନା ରେ
ହଁ, କେବଳ ତୁମରି ଅପେକ୍ଷାରେ ll
କୁଳୁକୁଳୁ ଧ୍ୱନି ରେ ନଦୀ ବୋହିଗଲା ପରି
ଶୀତଳ ସ୍ପର୍ଶ ରେ ମନ ପୁଲକିତ କଲାପରି
ସେ ଦିନ ସବୁ , କାଳଗର୍ଭ ରେ ହଜି ଯାଇଛି କାହିଁ
ହସହସ ମୁଖରେ ଅନ୍ୟକୁ ଖୁସି କଲା ପରି
ସେ ଛବି ମୋର ହଜିଯାଇଛି କାହିଁ
ନିରବ ନିଶ୍ଚଳ ହୋଇ ପଡ଼ିରହିଛି
ତୁମ ଆସିବାର ବାଟ ଚାହିଁ
ହଁ, କେବଳ ତୁମ ପାଇଁ ll
ମୋର ବୃହତ ଶରୀର ର ପ୍ରତି ଶିରା ପ୍ରଶିରା ରେ
ରକ୍ତ ପରିବର୍ତ୍ତେ ବୋହୁଛି ବିରହର ଅଗ୍ନି
ସର୍ବଦା ଜାଳି ଦେଉଅଛି
ହୃତପିଣ୍ଡ ର ପ୍ରତ୍ୟେକ କୋଠରୀ କୁ
ସ୍ପନ୍ଦନ ର ହାର ଦୃତ ରୁ ଦୃତତର ହେଉଛି
ଅସୁନ୍ଦର ଶରୀର କୁ ଢାଙ୍କି
ସୁନ୍ଦର ର ପରିଦୃଶ୍ୟ କରାଉଥିବା ଗୋରା ଚମଡା
ସୁନ୍ଦର ପରିବର୍ତ୍ତେ ଅସୁନ୍ଦରତା କୁ ବଖାଣୁଛି ll
ଯାଇଅଛ କାହିଁ କେତେକାଳୁ
ଫେରିବାର ମିଛ ପ୍ରତିଶୃତି ଦେଇ
କାହିଁ କେତେମାସ କେତେବର୍ଷ ବିତିଗଲା
ବିତିଗଲାଣି ଅନେକ ପ୍ରେମଋତୁ
ଆଉ କେତେ ଦିନ
ଏମିତି ମଲାନଈ ପରି ପଡି ରହିଥିବି
ଜଳି ଜଳି ପ୍ରତିକ୍ଷଣ ll
_____________________________
ନିର୍ମଳ ବାରିକ, କେନ୍ଦୁଝର, Nirmala Barik