ମଲା ନଈ
——-
ମୋ ଦେହରେ ଥିଲା ଦିନେ ଅମାପ ଜଳରାଶି
ମୁଁ ଉଛୁଳୁଥିଲି ମୋ କୂଳକୁ ଡେଇଁ
କେବେ ଶୋଷିଲା ଓଠରେ
କେବେ ରାଉରାଉ ଉଦରକୁ ଛୁଇଁ
ଇଚ୍ଛା ମୋର ସମୁଦ୍ର
ମୁକ୍ତି ମୋର ସାଗର
ମୋହ ମୋର ଗଭୀର ଗର୍ଭରେ ଲୀନ ହେବା ପାଇଁ
ମୁଁ ଶୁଖି କି ବା କେମିତି ହୋଇଥାନ୍ତି ସାର୍ଥକ
ମୋର ମାର୍ଗରେ, ମୋର ଭାଗ୍ୟରେ
କୋଟି କୋଟି ବାଲିବନ୍ଧ ବୋହି
ଅବିରତେ ଝରିଯିବା ମୋର ଧର୍ମ
ଝର ଶୁଖିଗଲାପରେ
ମୁଁ ଆଉ କୋଉ ନଈରେ ନାମିତ ହେବି
ଅର୍ଜିତ ପୂଣ୍ୟକୁ ଦେହ ସାରା ବୋଳି
ପ୍ରାଣ ପକ୍ଷୀ ଉଡ଼ି ଗଲାପରେ
ଜଡ କର୍ଣ୍ଣେ କେମିତି ଶୁଣିବି
ରାମ ନାମ ସତ୍ୟ ହେ
କୋଉ ଯଶ,ସମ୍ମାନ,ଉପାଧି ସାଥେ ନେଇଯିବି
ଶୂନ୍ୟରେ ଆହୁଲା ମାରିକି
ବାଟ ଏବେ ପରିଷ୍କାର
ଏ କୂଳରୁ ଆର କୂଳ ପାରି ହେବା ପାଇଁ
ଶୁଷ୍କ ଏବେ ମାଟି,ପବନ,ଆକାଶ
ମୁଁ ବା ଲୁଚିଥାନ୍ତି କୋଉଠି
ମୋ ବୁକୁ ଚିରି ଉଡ଼ି ଗଲେ ହଜାରେ ଶ୍ରାବଣ
ଏବେ ବିଷାଦର ବିସ୍ତୀର୍ଣ୍ଣ ବାଲିଚର
ଭାବ ନାହିଁ ତ ମୁକ୍ତି ବି ନାହିଁ
ମୁଁ ଏବେ ମଲା ନଈ
——————
ତପନ ସାହୁ
ବେଲଗାଁ, ଏମ୍, ରାମପୁର
କଳାହାଣ୍ଡି, ମୋ ୯୦୧୯୩୧୧୮୬୮
364 total views, 1 views today