ମଲା ନଈ
_______
ମୁକ୍ତ ତଟିନୀର ମୁକ୍ତ ସ୍ବପ୍ନ,
ଯୌବନର ଉଦ୍ଦାମତାରେ
ଥିଲି କଳକଳ ଛଳଛଳ..
ଅରଣ୍ୟ କାନନେ ବୋଳି ଦେଇ ସବୁଜିମା ରଙ୍ଗ
ଧାଉଁଥିଲି ଅତି ବେଗେ..
ନାଉରିଆର ସଙ୍ଗୀତକୁ ସାଥିରେ ନେଇ,
ହଂସ-ହଂସରାଳିର ଡାକରେ
ବିମୁଗ୍ଧ ହୋଇ…
ଦିନେ ସାକ୍ଷାତକାର ହେଲା ସାଗର ସହ
ଯୌବନର ଖସଡ଼ା ପଥେ,
ପଡ଼ିଗଲି ତା’ ପ୍ରେମରେ..
ଧାଇଁଚାଲିଲି ଉଛୁଳା ଆବେଗର ସହ
ସାଗର କୁ ଭେଟିବା ପାଇଁ..
କିନ୍ତୁ,ଏ ନିଷ୍ଠୁର ଦୁନିଆ
ସାଜିଲା ପ୍ରେମର ବଇରି…
ପ୍ରୟାସ କଲା ଅଧା ବାଟରେ ରୋକିବାକୁ
ବାନ୍ଧିଲା କଳକାରଖାନାର
ବିଷାକ୍ତ ରଜ୍ଜୁରେ..
ତପନ ତା’ର ପ୍ରଖର ତେଜରେ
ଜାଳିଚାଲିଲା ଛଟପଟ କରି,
ହେ ବର୍ଷା !!!
ତୁମେ କ’ଣ ଶୁଣିପାରୁନ
ଏ ଶୁଷ୍କ ତଟିନୀର ବିକଳ କ୍ରନ୍ଦନ..
ବିରହର ଏ ଉତ୍ତାପ ବେଦନା
ଆଉ ସହ୍ୟ ହେଉନି
ପଡ଼ିରହିଛି ମଲା ନଈ ସାଜି…
ଉର୍ମିଳା ଗଉଡ଼,
କଳାହାଣ୍ଡି
Urmila Goud
302 total views, 1 views today