➖ରେଣୁ ଅପା➖
(ଚତୁର୍ଥ ଭାଗ)
🖌️🖌️🖌️🖌️🖌️
ବିଛଣାରେ ଉଠି ବସି କଇଁ କଇଁ କାନ୍ଦୁଥିଲା ରେଣୁ।ରେଣୁକୁ ଗଣ୍ଠିଧନ କରିଥିବା ଜେଜେମା, ରେଣୁର କାନ୍ଦ ଶୁଣୂ ଶୁଣୁ ଧଡପଡ ହୋଇ ଉଠିବସିଲା।
ନିଜ ଚମ ଧୁଡୁଧୁଡୁ ଟାଉଁସିଆ ହାତରେ ରେଣୁ ଲୁହ ପୋଛି ଦେଇ ପଚାରିଲା,”କ’ଣ ହେଲା ମୋ ରାଣୀ ? ବୋଉକୁ ସପନରେ ଦେଖିଲୁ କି ?”
ତା ପାଇଁ ଜେଜେମାର ନିଦ ଭାଙ୍ଗିଯାଇଥିବାରୁ ରେଣୁକୁ ବହୁତ ବ୍ୟସ୍ତ ଲାଗିଲା।
କହିଲା,” ନାହିଁ ଲୋ ଜେଜେମା ତୁ କ’ଣ କେବେ ମତେ ବୋଉର ଅଭାବ ଅନୁଭବ କରିବାକୁ ଦେଇଛୁକି ? ବୋଉର କିଛି କଥା ମୋର ମନେ ନାହିଁ।ମନେ ଥିଲେ ସିନା ସ୍ବପ୍ନ ଦେଖନ୍ତି ! କିନ୍ତୁ ଯିଏ ଆମ ସମସ୍ତଙ୍କର , ମାନେ କୀଟ, ପଶୁ, ପକ୍ଷୀ,ଗଛ,ଲତା,ସ୍ତ୍ରୀ ପୁରୁଷ ଇତ୍ୟାଦିଙ୍କର ବୋଉ ମୁଁ ତାକୁ ହିଁ ସ୍ବପ୍ନରେ ଦେଖିଲି। ”
ଏକଥାରୁ ଜେଜେମା କିଛି ବୁଝି ପାରିଲାନାହିଁ।ଅବୁଝା ଆଖିରେ ଚାହିଁ କହିଲା,”ମୋ ବାୟାଣୀଟା ତୁ ଏ କ’ଣ କହୁଛୁ ମୁଁ କିଛି ବୁଝି ପାରୁନି।”
“ଏ ବସୁମତୀ ଆମ ସମସ୍ତଙ୍କର ମା ବୋଲି ତୁ ହିଁ ମତେ ପିଲାଦିନରୁ ବୁଝାଇଆସିଛୁ।ଆଉ, ବଡ ହେଲା ପରେ ତୋ କଥାଟା ପୁରା ଖାଣ୍ଟି, ଶହେ କୁ ଶହ ସତ ବୋଲି ମୁଁ ଅନୁଭବ କରିଛି।” ଜେଜେମା ମୁହଁକୁ ଚାହିଁ ରେଣୁ ଉତ୍ତର ଦେଲା।ପିଲାଦିନର କଥା ତା ଆଖି ଆଗରେ ନାଚିଉଠିଲା।ବିଶେଷ କରି ପିଲାଦିନର ରଜ ଉତ୍ସବ ତାର ମନେପଡିଲା।
ରଜ ତିନିଦିନ ତା’ର ଭାରି ଖୁସି।ରଜ ପୂର୍ବ ଦିନ ସଜ ବାଜ।ସେଦିନ ବାପା ନୂଆ ଜାମା,ଚପଲ ନେଲ୍ ପଲିସ୍,ଲିପ୍ ଷ୍ଟିକ୍,ହେଆର୍ କ୍ଲିପ୍,କ୍ରିମ୍, ପାଉଡର୍,ଅଳତା ଏମିତି କେତେ କ’ଣ ଜିନିଷ କିଣିଆଣନ୍ତି।ଜେଜେମା ପାଇଁ ମଧ୍ୟ ନୂଆ ଶାଢ଼ୀଟିଏ ଆଣିବାକୁ ଭୁଲନ୍ତି ନାହିଁ।ବାଡି ଆମ୍ବ ଗଛରେ ଦୋଳି ବାନ୍ଧି ଦିଅନ୍ତି।ପାଚିଲା ଆମ୍ବ, ପଣସ,କଦଳୀ, ଲିଚୁ, ଅଙ୍ଗୁର ଇତ୍ୟାଦି କିଣି ଆଣି ଘରେ ଗଦେଇଦିଅନ୍ତି।ତା ସାଙ୍ଗରେ ରଜପାନ ମଧ୍ୟ ବରାଦ କରିଦଦିଅନ୍ତି।ଜେଜେମାକୁ ଡାକି କହନ୍ତି,”ବୋଉ ଲୋ ମୋ ରେଣୁର ବୋଉ ନାହିଁ।ତା ମନକଥା କିଏ ବୁଝିବ ?ତୁ ତା ପାଖେପାଖେ ଥିବୁ।ଯାହା ଦରକାର ମତେ ସାଙ୍ଗେ ସାଙ୍ଗେ କହିବୁ।ହୀନିକପାଳିଟା ସେ।ଜନ୍ମ ହେଉ ହେଉ ତା ବୋଉ ଚାଲିଗଲା।ହାତ ଟେକା ପାଣିରେ ବଞ୍ଚିଲା।ବୋଉ କୋଳ, ସ୍ନେହସରାଗ,ତା ବକ୍ଷର ଅମୃତ କିଛି ପାଇଲା ନାହିଁ।ଯାହା ହେଉ ଭଗବାନ ବଡଲୋକ।ତାକୁ ବଞ୍ଚାଇଦେଲେ।ମୁଁ, ତ ଅଣ୍ଡିରା ଚଣ୍ଡିରା ଲୋକ।ବାହାରେ ବାହାରେ ବୁଲିବି।ତୁ ତା’ର ସବୁ।ତୋ ପାଇଁ ସେ ବୋଉର ଅଭାବ ଅନୁଭବ କରିବ ନାହିଁ।”ଏତିକି କହୁ କହୁ ତାଙ୍କ ଆଖିରୁ ଦୁଇ ଟୋପା ଲୁହ ଝରିପଡେ।
ଜେଜେମା ବାପାଙ୍କୁ କହେ “ବାଇଆଟାକିରେ,ତୁ କାହିଁକି ଵ୍ୟସ୍ତ ବିବ୍ରତ ହେଉଛୁ ? ମୁଁ ବଞ୍ଚିଥିବା ଯାଏଁ ମୋ ମା ରାଣୀର କିଛି ବି ଅସୁବିଧା ହେବନାହିଁ।”
ସତରେ ପିଲାଦିନରୁ ଏଯାଏଁ ଜେଜେମା ତା ଛାଇ ଭଳିଆ ରହିଆସିଛି।ସେ ବହୁତ ସମୟରେ ମନେ ମନେ ଭାବେ ତା ବାପା, ଜେଜେମା କେତେ ଭଲ ! ତା’ର କେତେ ଯତ୍ନ ନେଉଛନ୍ତି।କେତେ ସ୍ନେହ ଶ୍ରଦ୍ଧା କରୁଛନ୍ତି।ତାହା ପୁଣି ବିନା ସ୍ବାର୍ଥରେ।ସେ ତା ବାପା ଓ ଜେଜେମାଙ୍କ ନିକଟରେ ନିଜକୁ ଚିରଋଣୀ ଭାବେ।
ଝିଅଟା ସେ।ପରଘରୀ ହେବ ହିଁ ହେବ।ଏକଥା ଜାଣି ମଧ୍ୟ ବାପା ତାଙ୍କ ରୋଜଗାରର ସିଂହ ଭାଗ ତା ପାଇଁ ଖର୍ଚ୍ଚ କରନ୍ତି।ବୋଉ ଗଲା ପରେ କୁସଙ୍ଗରେ ପଡି କଦବା କ୍ବଚିତ୍ ମଦଖଟିକୁ ଚାଲିଯାଆନ୍ତି ବୋଲି ସେ ଜେଜେମା ଠାରୁ ଶୁଣିଛି।ନଚେତ୍ ଅନ୍ୟ କିଛି ବଦଖର୍ଚ୍ଚ ନାହିଁ।ଦୁନିଆର ସବୁ ବାପାମାନେ କ’ଣ ଏମିତି ସନ୍ତାନର ମଙ୍ଗଳ ପାଇଁ ନିଜକୁ ନିଜେ ତିଳ ତିଳ କରି ସାରିଦିଅନ୍ତି ! (କ୍ରମଶଃ)
ମମତା ଶତପଥୀ
କେନ୍ଦ୍ରାପଡା