ଏଇ ଦେଖ ନା……!
ସରୋଜିନୀ ବେହେରା
ଏଇ ଦେଖ ନା!
ଆଜି ମୋ କବିତା କାହିଁକି ମନ ମାରି ବସିଛି
ଯେତେ ଉପମା ଦେଲେ ବି ରୁଷ ଭାଙ୍ଗୁନି
ଅଳଙ୍କାରେ ନବ ବଧୂ ପରି ଚହଟୁଥିବା ମାନିନୀଟା
ଗୁମସୁମ ହୋଇ ଅନ୍ଧାରୁଆ କୋଠରୀରୁ ବାହାରକୁ ଆସୁନାହିଁ
କହିଲ କହିଲ,ମୋ ସହ ତାଳ ଦେଇ ଝଅଟି
ଉଠି ଆଗକୁ ଚାଲୁ……!!
ଏଇ ଦେଖ ନା!
ଆଜି ମୋ କଲମ ବି ଅବୁଝା ହେଉଛି
ଡାଏରୀ ଫର୍ଦ୍ଦରେ ନିଘୋଡ଼ ନିଦରେ ଶୋଇଯାଉଛି
ହାତ ପାପୁଲିକୁ ତୋଳି ଆଣିଲି ଯେ ଅଳସୁଆ ନିଦୁଆ
ଆଖିରେ ମିଟି ମିଟି ଚାହିଁ ପୁଣି ସେଇ ଫର୍ଦ୍ଦରେ
ଆଉଜି ପଡ଼ିଲା
କହିଲ କହିଲ,ଏଇ ସାଧା କାଗଜରେ
କିଛି କିଛି ଗାରେଇ ଦେଉ ବେଗି ବେଗି……!!
ଏଇ ଦେଖ ନା!
ଏ ମନ ଟା ବି ଭାରି ଚଗଲା ହେଉଛି
ଟିକେ ବି ଥୟ ଧରୁନି
କହିଲ କଣ କରିବି ଯେ?
କେବେକେବେ ଭୁଲି ଯାଉଛି ତ ପୁଣି କେବେ ଭୁଲ କରିଦେଉଛି
କେବେ ପାଠ ରୁ ପ୍ରେମକୁ
କେବେ ଖେଳ ରୁ କାଳ ଯାଏ ଧାଇଁ ଯାଉଛି
ଯାଅ ଏ ଦୁଷ୍ଟ ଟା କୁ ମୁଁ ରଖିବିନି
ନେଲ ନେଲ ତୁମେ ରଖିଦିଅ ବୁଝେଇ ତାଗିଦ କରି…..!!
ଏଇ ଦେଖ ନା!
ଧେତ ତୁମେ ବି ନା!
ହଁ ତୁମରି ଜାତି ଭାଇ ତ ,
ତୁମେ ବି ଏମାନଙ୍କ ଭିତରେ ହଜିଯାଇଛ
କେବେ ମନ ମାରି ଅଭିମାନ ଅଭିଯୋଗର ବନ୍ୟା ବାହିଦେଉଛ ତ
କେବେ ପୁଣି ପ୍ରେମର ଦଉଡି଼ଆ ଖଟରେ
ମିଠା ମିଠା ସୁଲୁସୁଲିଆ ପବନ ସହ ଶୋଇପଡୁଛ
ଆଉ କେବେ, ବାପରେ ବାପ!
ଦୁଷ୍ଟାମୀ ମଜ୍ଜାକର ଅଟ୍ଟାଳିକାକୁ ଦୋହଲାଇ
ମହ ମହ ପ୍ରୀତି ଶିହରଣରେ ଭୂମିକମ୍ପ ସୃଷ୍ଟି କରୁଛ
ଶୁଣ ନା!
ଆରେ……
ଚାଲ ଦୁଷ୍ଟ…..!!😊😊😊
ଆଗରପଡା, ଭଦ୍ରକ