ରୁଦ୍ଧ ଦ୍ୱାର
ଏଠି ସବୁ ଶୂନ୍ୟ ,ମହାଶୂନ୍ୟ ଚିତ୍କାର କରୁଥାନ୍ତି ଡ଼ ମହେଶ।ଏପରି ପ୍ରତୀତ ହେଉଛି ଯେପରି ଶବ୍ଦ ସବୁ ତାଙ୍କଠୁ ସୃଷ୍ଟି ହୋଇ ପୁଣି ତାଙ୍କ ଠାରେ ବିଲୀନ ହେଇଯାଉଛି।ମନେ ପଡିଯାଉଛି ଜୀବନରୁ ମୃତ୍ୟୁ ପର୍ଯ୍ୟନ୍ତ ଘଟି ଯାଇଥିବା ଘଟଣା ସମୂହ।କଣ ଏଠି ଜୀବନ ଧାରଣ ସମ୍ଭବ?ଶରୀରର ପ୍ରତ୍ୟେକ କ୍ରିୟା ଅଣୁକ୍ରିୟା ର ଅନୁଭବ।
ଡ଼ ମହେଶ ଫୋରେନ୍ସିକ ବିଭାଗର ଡାକ୍ତର।ତାଙ୍କ ବନ୍ଧୁ ଏସ. ପି. ଅମରଙ୍କର ଏକ ମର୍ଡର କେସର ସମାଧାନ ନିମନ୍ତେ ଆସିଥିଲେ ଚିତୋରଗଡ଼।ବିରାଟ ଜଙ୍ଗଲ, ଅଙ୍କାବଙ୍କା ଜଙ୍ଗଲୀ ରାସ୍ତା, ସବୁଜିମା ଓ ପକ୍ଷୀଙ୍କ କାକଳିରେ ଉତ୍ଫୁଲିତ ହେଉଛି ଆକାଶ।ଝରଣା ର କଳକଳ ଶବ୍ଦ ମନକୁ ମୋହିନେଉଥାଏ।ଜଙ୍ଗଲ ଭିତରେ ଏକ ବିରାଟ ରାଜପ୍ରାସାଦ ଆଗରେ ତାଙ୍କ କାର ଲାଗିଲା।ସବୁଠି ପୋଲିସର ଘେରାଉ।ଏସ. ପି. ଅମର ଡ଼ ମହେଶଙ୍କୁ କୋଳାଗ୍ରତ କଲେ କହିଲେ ଏକ ଭିନ୍ନ କେସ ନିମନ୍ତେ ମୁଁ ତତେ ଏଠିକି ଡାକିଛି।ପୂର୍ବରୁ ମଧ୍ୟ ଏହି ପ୍ରାସାଦ ମଧ୍ୟରୁ ଏକ ମୃତ୍ୟୁର ସନ୍ଧାନ ଆସିଥିଲା।କିନ୍ତୁ ଆମ ଟିମ ତା’ର କୌଣସି କାରଣ କି ସୁରାକ ପାଇନଥିଲା।ମୁଁ ଚାହୁଁଛି ତୁ ବି ଆମ ସହ ସନ୍ଧାନରେ ଯୋଗ ଦେ ଆଉ ସତରେ କଣ ଏଠି କିଛି ନକାରାତ୍ମକ ଶକ୍ତି ଅଛି କି ଅନ୍ୟ କୌଣସି କାରଣରୁ ବ୍ୟକ୍ତି ଙ୍କର ମୃତ୍ୟୁର ଭ୍ରମ ସୃଷ୍ଟି ହେଉଛି ତା’ର ଅନୁସନ୍ଧାନ କର।
ଡ଼ ମହେଶ ଅମରଙ୍କୁ ଆଶ୍ୱାସନା ଦେଇ କହିଲେ ହଁ ସେଥିପାଇଁ ହିଁ ତ ମୁଁ ମୋର ମୁମ୍ବାଇର ଜରୁରୀ କାମ ଛାଡି ତୋ ପାଖୁ ଆସିଲି।ସମସ୍ତେ ପ୍ରସାଦ ଭିତରକୁ ପ୍ରବେଶ କଲେ।ଏକ ମଝି ଅଗଣାରେ ଛିଡା ହେଲା ପରେ ସମସ୍ତେ ନିଜ ନିଜ ସନ୍ଧାନର ଦିଗ ନିର୍ଣ୍ଣୟ କଲେ।ଏସ. ପି. ଅମର କହିଲେ କିଛିଦିନ ତଳେ ଏଠାକୁ ଆସିଥିବା ଦୁଇଜଣ ଯୁବକ ନିଖୋଜ ଅଛନ୍ତି।ଆମକୁ ତନ୍ନତନ୍ନ କରି ପରୀକ୍ଷା କରିବାକୁ ହେବ ପ୍ରକୃତରେ ତାଙ୍କ ସହ କିଛି ଘଟିଛି ନା ସେମାନେ ନିରୁଦିଷ୍ଟ।।
ଡ଼ ମହେଶ ଅତ୍ୟନ୍ତ ଉତ୍ସାହର ସହ ଆଗେଇ ଚାଲିଲେ ଏକ ନୂତନ କାରଣର ସନ୍ଧାନରେ।ଅନ୍ଧାରିଆ କୋଠରୀ ସ୍ଥାନେ ସ୍ଥାନେ ବୁଢିଆଣି ବସା।ନିଜ ସ୍ମାର୍ଟ ଫୋନର ଟର୍ଚ୍ଚକୁ ଅନ କରି ଆଗକୁ ବଢିଚାଲିଲେ।ଦେଖିଲେ ଗୋଟେ କବାଟ ମୁକୁଳା ଅଛି ଓ ପାହାଚ ଗୁଡିକ ମାଟି ତଳକୁ ଯାଇଛି।କୌତୁହଳ ବଶତଃ ଡ଼ ତଳକୁ ତଳକୁ ଚାଲିଲେ, ଏକ ବିରାଟ କବାଟ ଦୃଶ୍ୟମାନ ହେଲା।ଡ଼ ମହେଶ କବାଟ ଖୋଲି ଗୃହ ଭିତରକୁ ପ୍ରବେଶ କରନ୍ତେ କବାଟଟି ସ୍ବତଃପ୍ରବୃତ ଭାବେ ବନ୍ଦ ହୋଇଗଲା।ନିଜ ସ୍ମାର୍ଟ ଫୋନ ର ଟର୍ଚ୍ଚରେ ମହେଶ କାନ୍ଥ ଗୁଡିକୁ ଦେଖିବାକୁ ଲାଗିଲେ।କାନ୍ଥର ଗଠନ ତଥା ଚଟାଣ କିଛି ଭିନ୍ନ ଧରଣର ପଦାର୍ଥରେ ତିଆରି ହୋଇଥାଏ।ଏପରି ଦେଖୁ ଦେଖୁ କିଛି ସମୟ ବିତିଗଲାଣି ଡ଼ ମହେଶ ନିଜ ହୃତସ୍ପନ୍ଦନ ଶୁଣିପାରିଲେ।ଅଧିକ କୌତୁହଳି ହୋଇ ସେ ଆଉ କିଛି ସୁରାକ ପାଇବା ପାଇଁ ଚଟାଣରେ ଚାଲିବା ସମୟରେ ନିଜ ଆଣ୍ଠୁ ଓ ପାଦର ଗଣ୍ଠି ଯେପରି ଏକ ଗ୍ରାଇଣ୍ଡର ର ଶବ୍ଦ କଲାପରି ଭ୍ରମ ସୃଷ୍ଟି ହେଲା।
କିଛି ସମୟ ପରେ ତାଙ୍କ ନାଡୀ ଗୁଡିକର ଧକଧକ ଶବ୍ଦ ଏକ ହତୁଡିର ଶବ୍ଦ ପରି ଲାଗିବା ସହିତ ସେ ଆଉ ଆଗକୁ ଚାଲି ନପାରି ବସିଗଲେ।ତାଙ୍କ ମନମସ୍ତିସ୍କରେ କିଛି ଗଭୀର ଚିନ୍ତନ ହେବାକୁ ଲାଗିଲା,ହାତ ଓ ପାଦ ଶିଥିଳ ହୋଇଆସିଲା, ଦେହରୁ ଗମଗମ ଝାଳ ବୋହିଗଲା, ଯେତେ ଚିତ୍କାର କରି ଅନ୍ୟକୁ ଡାକିବାକୁ ଚେଷ୍ଟା କଲେ ମଧ୍ୟ ତାଙ୍କ ସ୍ୱର ସେ ଚାରିକାନ୍ଥ ବାହାରକୁ ଯାଇ ନପାରି ନିଜ ପାଖକୁ ଫେରି ଆସିବା ପରି ଲାଗିଲା।ଓଃ କି ଯନ୍ତ୍ରଣା ନାଁ କିଛି ବାହାରର ଶବ୍ଦ ନା ଅଛି ଆଲୋକ ନାଁ ପବନ, ଅଛି ତ କେବଳ ବିପୁଳ ଶୂନ୍ୟତା।ମୋବାଇଲରେ ଫୋନ କରି ଅମରଙ୍କୁ କଲ କଲାବେଳେ ତାଙ୍କ ଟିପଚିହ୍ନ ମଧ୍ୟ କାମ କଲାନାହିଁ।ଇନ୍ଦ୍ରିୟ ଗୁଡ଼ିକ ନିଷ୍କ୍ରିୟ ହେଲା ପରି ଲାଗିଲା।ଯେପରି ଆଉ କିଛି ସମୟ ମଧ୍ୟରେ ମୃତ୍ୟୁ ତାଙ୍କୁ ସ୍ପର୍ଶ କରିଯିବ।ସବୁଆଡେ ମୃତ୍ୟୁର ଉଦବେଗତା।ଯେତିକି ଯେତିକି ସମୟ ଅତିକ୍ରମ ହେଉଥିଲା ବିପୁଳ ଶୂନ୍ୟତା ତାଙ୍କ ଶରୀର ଓ ମନକୁ ଯେପରି ଆକ୍ରାନ୍ତ କରିଯାଉଥିଲା।
କୌଣସି ପ୍ରକାରେ ନିଜ ଫୋନରେ ଟର୍ଚ୍ଚ ଅନ କରି ଶୂନ୍ୟତା ସହ ମିତ୍ରତା କରିବାକୁ ଚେଷ୍ଟା କଲେ ଡ଼।ତାଙ୍କ ମନକୁ ଆସିଲା ୟୁନାଇଟେଡ଼ ଷ୍ଟେଟସ ଅର୍ଫିଲଡ଼ ୟୁନିଭରସିଟିର ଏକ ଘଟଣା।ସେଠାକାର ପଫେସର ଡ଼ ଜେମ୍ସଙ୍କ ସହ ୟୁନିଭରସିଟିର ବିଭିନ୍ନ କୌତୁହଳ ପୂର୍ଣ୍ଣ ସ୍ଥାନ ପରିଦର୍ଶନ କରୁ କରୁ ଡ଼ ଜେମ୍ସ ତାଙ୍କୁ ଏକ ଅନନ୍ୟ କୋଠରୀର ପରିଦର୍ଶନ କରାଇଥିଲେ।କୋଠରୀକୁ ଦେଖାଇ ଜେମ୍ସ କହିଥିଲେ *”କଂକ୍ରିଟ୍, ଇସ୍ପାତ ଏଵଂ ଫାଇବରର ଅନେକ ସ୍ତରକୁ ମିଶ୍ରଣ କରି ସ୍ୱତନ୍ତ୍ର ଵୈଷୟିକ ଜ୍ଞାନ ପ୍ରୟୋଗ ସହ ନିର୍ମିତ ହୋଇଥିଵା ଏହି କୋଠରୀର ଵିଶେଷତା ହେଉଛି ଯେ ଏହି କୋଠରୀ -୨୦ Decibel ତୀଵ୍ରତା ପର୍ଯ୍ୟନ୍ତ ଧ୍ୱନିକୁ ମଧ୍ୟ ବାଧା ଦେଇପାରେ ଅର୍ଥାତ୍ ରୋକି ଦେଇଥାଏ । -୨୦ Decibel ଧ୍ଵନୀ ତୀଵ୍ରତା ମାନଵ ଶ୍ରଵଣୀୟ ଧ୍ଵନି ତୀଵ୍ରତାଠାରୁ ୪୦୦ ଗୁଣ କମ୍ । ତେଣୁ ଯଦି ଆପଣ ଏହି କୋଠରୀରେ କୌଣସି କାରଣରୁ ବନ୍ଦ ହୋଇଯାଆନ୍ତି ତାହେଲେ ଆପଣ କିଛି ବି ଵିଶେଷ ଶୁଣିପାରିବେ ନାହିଁ କିନ୍ତୁ ଆପଣଙ୍କୁ ସେଠାରେ କେଵଳ ଆପଣଙ୍କ “ଭିତରୁ ଆସୁଥିଵା ସ୍ୱର” ହିଁ ଶୁଣିଵାକୁ ମିଳିଵ । ହଁ, ଆପଣ ଏହି କୋଠରୀରେ ବନ୍ଦ ହେଵାର କିଛି ମିନିଟ୍ ପରେ ହିଁ ନିଜେ ନିଜକୁ ଶୁଣିଵା ଆରମ୍ଭ କରିଦେବେ ।”*
ହେ ଭଗବାନ!ଏହି କୋଠରୀ ଆଉ ସେପରି କୋଠରୀ ନୁହେଁତ ସେଠିତ ଅଧିକ ସମୟ ବିତାଇବା କଠିନ।ବିତିଯାଇଥିଲା ପାଖାପାଖି ୪୦ମିନିଟ ।ଅମର ଓ ତାଙ୍କ ସାଥି ମହେଶଙ୍କୁ ଖୋଜା ଖୋଜି କରି ପାହାଚରେ ତଳକୁ ତଳକୁ ଆସୁଥିଲେ, ପାଇଥିଲେ କିଛି ସିରିଞ୍ଚ।ମହେଶ ନିଜର ସମସ୍ତ ମାନସିକ ଓ ଶାରୀରିକ ଶକ୍ତି ଏକତ୍ରୀତ କରି କୋଠରୀରୁ ବାହାରକୁ ଆସିଥିଲେ।ଶାରୀରିକ ସନ୍ତୁଳନ ରକ୍ଷା କରି ନପାରି ତଳେ ପଡ଼ିବାକୁ ଗଲା ବେଳେ ଧରିନେଲେ ଏସ. ପି. ଅମର।ମହେଶଙ୍କ ଏପରି ଅବସ୍ଥା ଦେଖି ତାଙ୍କୁ ବିଶ୍ରାମ ନିମନ୍ତେ କିଛି ସମୟ ଦିଆଗଲା।
କିଛି ସମୟ ବିରତି ପରେ ଅମର ଡ଼ ମହେଶଙ୍କୁ କହିଲେ ଆମେ ଯେଉଁ ସିରିଞ୍ଚ ପାଇଛୁ ସେଠୁ ପ୍ରତୀତ ହେଉଛି କି ଏଠିକି ଯୁବକ ଆସିଥିଲେ।କାରଣ ଏସବୁ ଡ୍ରଗ୍ସ।ତା’ପରେ ଡ଼ ମହେଶ ଅମରଙ୍କୁ ଅର୍ଫିଲଡ଼ ୟୁନିଭରସିଟିର ସେ ରହସ୍ୟମୟୀ କୋଠରୀ ବିଷୟରେ କହିଲେ।କହିଲେ ସେଇଟି ଥିଲା ଅର୍ଫିଲଡ଼ ୟୁନିଭରସିଟିର ଶବ୍ଦ ପ୍ରତିରୋଧୀ ରୁମ।ଯେଉଁଠି ଦ୍ରବ୍ୟ ମାନଙ୍କର ଶବ୍ଦ ପ୍ରତିରୋଧିତାର ପରୀକ୍ଷଣ କରାଯାଏ।ଉକ୍ତ କୋଠରୀ ମାନସିକ ସ୍ତରରେ ମଣିଷକୁ ପଙ୍ଗୁ କରିଦେଇପାରେ।ସେଠି ଜଣେ ସାଧାରଣ ମନୁଷ୍ୟ ୪୫ମିନିଟ ରୁ ଅଧିକ ସମୟ ରହିପାରେ ନାହିଁ।ଠିକ ସେପରି ଏକ ରୁମ ଏଠାରେ ଅଛି।ମୁଁ ମଧ୍ୟ ସେଠାରେ ଫସି ଯାଇଥିଲି।ଓଃ ସେଠି କେବଳ ମୃତ୍ୟର ଉନ୍ମାଦତା ଓ ନୀରବତା ର ବିଦ୍ରୋହ।
ଅମର ଓ ତାଙ୍କ ଟିମ ସ୍ୱତନ୍ତ୍ର ଆଲୋକ ଓ ଉପାୟ ଅବଲମ୍ବନ କରି ସେ ଗୃହକୁ ପ୍ରବେଶ କଲାପରେ କିଛି ଅଦ୍ଭୁତ ଅନୁଭବ କଲେ ନିଶ୍ଚୟ।ସେହି ଗୃହରୁ ମିଳିଲା ଯୁବକ ଦ୍ବୟଙ୍କ ଗଳିତ କଙ୍କାଳ।ଡ଼ ମହେଶ ଓ ଅମରଙ୍କ ଟିମ କଙ୍କାଳକୁ ଆଣି ପରୀକ୍ଷା ନିରୀକ୍ଷା କରିବାରୁ ଜଣା ପଡିଲା ଯୁବକ ଦ୍ବୟ ଡ୍ରଗ୍ସ ସେବନ କରିଥିଲେ।ଅତ୍ୟଧିକ ଡ୍ରଗ୍ସ ସେବନ ଓ କୌଣସି କାରଣରୁ ଉକ୍ତ କୋଠରୀରେ ଫସି ରହିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା।
ଡ଼ ମହେଶଙ୍କୁ ଅମର ଧନ୍ୟବାଦ ପ୍ରଦାନ କରିଥିଲେ।ଏକ ଭିନ୍ନ ଅନୁଭୂତି ସମସ୍ତ ପୋଲିସ ବିଭାଗକୁ ଚକିତ କରିଦେଇଥିଲା।ସର୍ବସାଧାରଣଙ୍କ ସୁରକ୍ଷା ପାଇଁ ପୋଲିସ ଓ ପ୍ରଶାସନ ତରଫରୁ ଉକ୍ତ ଗୃହର ଦ୍ଵାରକୁ ଚିରଦିନ ପାଇଁ ବନ୍ଦ କରାଯିବା ସହିତ ସେହି ରାଜପ୍ରାସାଦକୁ ସବୁଦିନ ପାଇଁ ପ୍ରବେଶ ନିଷେଧ କରାଗଲା।ପରିଶେଷରେ ସମାଧି ନେଇଥିଲା ଏକ ମରଣଯନ୍ତା ରୁଦ୍ଧଦ୍ୱାର।
ତପସ୍ୱିନୀ ଷଢ଼ଙ୍ଗୀ
କଟକ