ସନେଟ୍ – ବିରହିଣୀ ରାଧିକା
ନିର୍ଜନ ନିଶୀଥେ କୁଞ୍ଜ ଉପବନେ ପ୍ରେମିକ ଶ୍ୟାମଘନ
ହୃଦ ଚିତ୍ରପଟ୍ଟେ କାନ୍ତ ମୋ ଶ୍ରୀକୃଷ୍ଣ କହ୍ନେଇ ଚକାଜହ୍ନ ।
ବିଜନ ବେଳାରେ ବିରହିଣୀ ସାଜି ସ୍ମରେ ସେହି ମୁହୂର୍ତ୍ତ
ମନେପଡେ ସେ ପ୍ରୀତି ଭରା ରାତି କିଛି ପ୍ରତିଶ୍ରୁତି ସର୍ତ୍ତ ।
ପିପାସୀ-ଚାତକୀ ଚିତ୍ତ ମୋ ନିତି ଲୋଡ଼େ ତୁମ ଅନୁଗ୍ରହ
ବଂଶୀର ମୂର୍ଚ୍ଛନା ତୁମ ପ୍ରେମ କାହ୍ନା ଦହୁଛି ମୋ ହୃଦୟ ।
ଅଭାଗିନୀ ରାଧା ବୁଡ଼ି ମରୁଛି ପ୍ରୀତି ବିରହର କୂଳେ
କୂଳକୁ ଛୁଇଁ କାହିଁ ଉଦ୍ଧାରିବ କଳଙ୍କ ଲାଗିବ କାଳେ !
ପ୍ରେମ ବୀଜ ତୁମ ଅଙ୍କୁରିଛି ଯେ, ଆସ ଦେଖିଯାଅ ଥରେ
ଦୁନିଆ ଭୁଲି ତୁମକୁ ଝୁରେ ମୁଁ ନିତି ନିତି ନିରୋଳାରେ ।
ଦିବ୍ୟ ଚିତ୍ତେ ତୁମ ବିଚାର କର ହେ, କାହିଁ ଛାଡି ଗଲ ମତେ
ଶ୍ରୀଚରଣେ ତୁମ ବିକିଥିଲି ମନ ଶଠ ହୋଇଲ କେମନ୍ତେ ?
ଘନଶ୍ୟାମ କରିଥିଲି ଆଶ ସତେ ହେଲା ସାତ ସପନ
ବିରହିଣୀ ତୁମ ରାଧାରାଣୀ ନିତି ଖୋଜେ ଚନ୍ଦ୍ରବଦନ ।
ରିନା ପରିଡା
ଖୋର୍ଦ୍ଧା