ପୁରୁଷୋତ୍ତମ ଶ୍ରୀରାମ
ଆଉ ଥରେ ରାମ ଏ ଧରାକୁ ଆସ
କରୁ ଅଛୁ ଆବାହନ
ତୁମ ଆଗମନେ ଅସୁରୀୟ ଗୁଣ
ହେବ ସବୁ ଅବସାନ।
ସ୍ନେହ ପ୍ରେମ ଭକ୍ତି ଶିଖାଇଣ ଦେବ
ସମାଜ ମଧ୍ୟରେ ରହି
ଅନ୍ୟାୟ ଅନୀତି ବଢ଼ି ବଢ଼ି ଯାଏ
ରୋକି ନ ପାରନ୍ତି କେହି।
ତୁମ ପାଇଁ ଆଜି କାନ୍ଦୁଛି ସଂସାର
ଆଖିରୁ ଝରୁଛି ଲୁହ
ତୁମ ପଥ ଚାହିଁ ଅପେକ୍ଷାରେ ଛନ୍ତି
ହୃଦରେ ଉଠୁଛି କୋହ।
ତୁମ ଆଗମନେ ଏ ଧରା ହସିବ
ସତେ ପୂଣ୍ୟର ପସରା
ଅଧର୍ମ ଲୁଚିବ ସାଗର ଗର୍ଭରେ
ନ୍ୟାୟ ହେବ ବସୁନ୍ଧରା।
ଚାରି ଆଡେ ଖାଲି ଅନ୍ୟାୟ ଅନୀତି
ଆଖି ଯାଏ ଯେତେ ଦୂର
ଅନ୍ୟାୟ ଅନୀତି ବିଭୀଷିକା ଚାଲେ
ଅମା ରାତି ଦୂର କର।
ଭାତୃ ସ୍ନେହ ପ୍ରେମ ଲୁଚି ଯାଉ ଅଛି
ନାହିଁ ପିତାର ସମ୍ମାନ
ରାଜନୀତି ଆଉ କୂଟନୀତି ଚାଲେ
ଅଧର୍ମ ହୁଏ ମହାନ।
ନାହିଁ ରାମ ରାଜ୍ୟ କଳିର ପ୍ରଭାବ
କଳୁଷରେ ଭର ପୁର
ତୁମ ଆଗମନେ ଆଲୋକିତ ହେବ
ମର୍ତ୍ତ୍ୟ ହେବ ସ୍ୱର୍ଗ ପୁର।
ବାସନ୍ତୀ ଲତା ଜେନା
ନବରଙ୍ଗପୁର