ପ୍ରେମର ସ୍ୱରୂପ
ପାର୍ଥିବ ସଂସାରରେ ବିଷୟ ସମ୍ପତ୍ତି
ପଦ ପଦବୀ ଧନ ମାନ ସବୁ ଥାଇ
ଲାଗୁଥାନ୍ତା ଶୁଷ୍କ ମରୁ ବାଲି ଖାଲି ଖାଲି
ଯଦି ନଥାନ୍ତା ଭଲ ପାଇବାର ବନ୍ଧନ ।
ଏପରି ବନ୍ଧନ ଯାହା ଶିହରାଏ ତନୁମନ
ମୁକୁଳିବାର ନଥାଏ ସାମାନ୍ୟ ପ୍ରୟାସ
ନେବାରେ ନୁହେଁ ଦେବାରେ ଥାଏ ଆନନ୍ଦ
ହାସଲ ନୁହେଁ ତ୍ୟାଗରେ ତା’ର ସାର୍ଥକତା।
ଦୁଇ ଆତ୍ମା ମିଶି ଗାଏ ମଧୁର ଗଜଲ
ମାଆର ମମତା ସିଏ ପିତାର ପାଳନ
ଭାଇ ଭଉଣୀ ମଝିରେ ରାକ୍ଷୀର ବନ୍ଧନ
ପ୍ରକୃତି ପୁରୁଷ ପରି ଅବା ପ୍ରେମୀ ଯୁଗଳ ।
ଦୈହିକ ଲାଳସା ଅବା ବିଷୟ ପ୍ରାପତି
ପ୍ରେମ ନୁହେଁ ବ୍ୟବସାୟ ଲୁଚି ଥାଏ ତହିଁ
ପ୍ରେମରେ ସର୍ତ୍ତ ନ ଥାଏ ନାହିଁ କଟକଣା
ପ୍ରେମ କରେନାହିଁ ପ୍ରେମିକକୁ ବାଟବଣା।
ଜନ୍ତୁ ସହ ଜଙ୍ଗଲର ମିଳନ ପରି ପ୍ରେମ
ପକ୍ଷୀ ସହ ନୀଳ ଆକାଶ ପରି ଅବାଧ
ମୀନ ସହ ନଦୀର ସମ୍ପର୍କ ପରି ଅମାପ
ଆତ୍ମା ପରମାତ୍ମା ମିଳନ ପରି ନୈସର୍ଗିକ।
ପାର୍ଥିବ ଆଶା ଆକାଙାକ୍ଷା ଠାରୁ ଉର୍ଦ୍ଧ୍ଵରେ
ସାମାଜିକ ବାଧା ବନ୍ଧନକୁ ପଛରେ ଛାଡି
ପ୍ରେମ ଉଡାଏ ତା’ ଜୈତ୍ର ବାନା ଉର୍ଦ୍ଧ୍ଵରେ
ବାସ୍ତବ ପ୍ରେମରେ ହିଁ ହୁଏ ଈଶ୍ବର ପ୍ରାପ୍ତି ।
ବିଶ୍ୱେଶ୍ୱର ମାଝୀ
@୦୪-୦୨-୨୦୨୦ ଭୁବନେଶ୍ବର।
I do not even know how I ended up here, but I thought this post was great.I don’t know who you are but certainly you’re going to a famous blogger if you are not already Cheers!