ପ୍ରେମର ପରିଭାଷା
*************
ଆକାଶ,
ଶୁଭେଚ୍ଛା ନେବ। ଏବେ ଆଉ ମୋ ସୁଖ ତୁମ ସୁଖ ନୁହଁ କିମ୍ବା ତୁମ ଦୁଃଖ ମୋ ଦୁଃଖ ନୁହଁ। ଏବେ ଖାଲି ଆମେ ଦୁହେଁ ତୋଫା ଜହ୍ନ ଆଲୁଅରେ ଦେଖା ହୋଇଥିବା ଦୁଇ ଗୋଟି ଚିହ୍ନା ଜଣା ମୁହଁ। ବୋଧହୁଏ ସେଦିନର ସେହି ଜ୍ୟୋସ୍ନାସ୍ନାତ କୁମାର ପୂର୍ଣ୍ଣିମାର ମହକ ଏବେବି ତରଙ୍ଗାୟିତ ହେଉଛି ମୋ ହୃଦୟରେ । ଏବେ ତ ଆମ ସମ୍ପର୍କ ଦୂର ପାହାଡ ସେପଟେ ହଜିଯାଇଥିବା ଧାରେ ଝାପସା ଆଲୁଅ, ଯାହାକୁ ହାତ ବଢେଇଲେ ବି ଆଉ ଛୁଇଁ ହେଉନି।ଢେଉ ଢେଉକା ପାହାଡ ସେପଟେ ସୂର୍ଯ୍ୟର ଶେଷ କିରଣ ମହଳଣ ପଡ଼ି ଆସିଲା ବେଳେ ମୁଁ ଶୁଣେ ଅତି ଆପଣାର ସ୍ବରଟିରେ ଗୋଟେ ବିଦାୟୀ ସଙ୍ଗୀତ।
ଆରପଟ ପାହାଡ ସେପଟୁ ଜହ୍ନ ଉଠିଲେ ତା’ର ସେ କଅଁଳ ମୁହଁ ଭିତରୁ ଭାସିଆସେ ଦୁଇଟି ଉଦାସ ଆଖି। ଦିନେ କେତେ ସ୍ବପ୍ନ ସଜଳ ଥିଲେ ସେ ଆଖି ; ଆଉ ସେ ଆଖିରେ ବୁଡ଼ ମାରୁଥିଲେ କେତେ ଯେ ଫଗୁଣ।ଋତୁ ସବୁ ପଇଁତରା ମାରୁଥିଲେ କେତେ ରୂପରେ କେତେ ରଙ୍ଗରେ।ବସନ୍ତ ଲାବଣ୍ୟବତୀର ଭ୍ରମ ସୃଷ୍ଟି କଲାବେଳେ,ସାତରଙ୍ଗକୁ ଏକାଠି କରି ସେପଟ ଦିଗବଳୟକୁ ଛୁଇଁବାକୁ ହାତ ବଢଉଥିଲା ବର୍ଷାଋତୁ। ପୁଣି ଛାତିର ତାତିରେ ଉଷୁମ ହୋଇ ଯାଉଥିଲା ଶୀତଋତୁ। ଜୀବନ ଥିଲା କେଉଁ ସୁଲଳିତ ଗୀତି କବିତାର ସାବଲୀଳ ଧାଡି। ପବନରେ ଭାସି ଆସୁଥିଲା ମହମହ ବଉଳ ଫୁଲର ବାସ୍ନା ଆଉ ତୁମେ ଆତୁର ହୁଅ ସାଉଁଟି ରଖିବାକୁ ତୁମର ସେ ଅତିପ୍ରିୟ ଟିକିଟିକି ବଉଳ ଫୁଲ ସବୁକୁ !
ଏବେ ସ୍ମୃତି ସବୁକୁ ଗୋଟେଇ ଧୋଇ ପୋଛି ସାଇତି ରଖିବାରେ ମୋର ଦିନ ବିତେ।ଜାଣିଛ ଏଯାଏଁ ସାଇତି ରଖିଛି ଦିନେ ତୁମେ ଉପହାର ଦେଇଥିବା ସେ ବଉଳ ଫୁଲର ମାଳଟିକୁ। ସମୟ ବିତିିବା ସଙ୍ଗେ ସଙ୍ଗେ ମହଳଣ ପଡ଼ି ଗଲାଣି ତା’ର ରଙ୍ଗ ରୂପ। ହେଲେ ଏତେ ଦିନ ପରେ ବି ସେ ଫୁଲ ମହମହ ବାସେ।
ଆକାଶ ! ତୁମେ ସତେକି ସେଇ ବଉଳ ଫୁଲ। ଦିନ ଯେତେ ବେଶୀ ବେଶୀ ଯାଏ , ତମେ ସେତେ ବେଶୀ ବେଶୀ ବାସ।ଛୁଇଁଯାଅ ମୋର ହୃଦୟର କୋଣ ଅନୁକୋଣକୁ, ଠିକ୍ ବଉଳ ଫୁଲର ବାସ୍ନା ପରି ! କ୍ଷମା ଦେବାଠୁ କଠୋର ଦଣ୍ଡ ଆଉ କ’ଣ ଥାଇପାରେ ? ତୁମ ପ୍ରତି ଅବିଚାର କରି, ତୁମକୁ ଦେଇଥିବା ପ୍ରତିଶ୍ରୁତିରୁ ଓହରି ଆସି ବି ତୁମ ହୃଦୟରେ ମୋ ପାଇଁ ଘୃଣା ଜାଗ୍ରତ କରାଇ ପାରିଲିନି।ପାରିବତ’ ମୋତେ କ୍ଷମା କରିଦେବ ।
। ଇତି । ତୁମର ଜହ୍ନ
ଆକାଶ ହାତରେ ଚନ୍ଦ୍ରିକାର ଏଇ ଚିଠି। ଚନ୍ଦ୍ରିକାର ନାଁ ହୋଇ ଯାଇଥିଲା ‘ଜହ୍ନ’ ଆକାଶର ସମ୍ବୋଧନରେ, ଯେଉଁ ଦିନ ଦୁହେଁ ପରସ୍ପରକୁ ମନ ଦେଇଥିଲେ ।ସନ୍ତାପିତ ହୃଦୟର ଅଭିବ୍ୟକ୍ତି ଏଇ ଚିଠିଟି ବହନ କରୁଛି ସତେ। ଲୁହ ଯେମିତି ଥଳକୂଳ ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ଦୁହିଁଙ୍କର ଦେଖା ହୋଇଥିଲା ପ୍ରଥମେ ଆକାଶର ମାମୁଁଘର ଗାଁ ଅର୍ଥାତ୍ ଚନ୍ଦ୍ରିକାର ନିଜ ଗାଁ ରେ । ସେଦିନ ସେଇ କୁମାର ପୂର୍ଣ୍ଣିମା ସନ୍ଧ୍ୟାରେ ଦୁହିଁଙ୍କର ପ୍ରଥମ ଦେଖା ପରେ ହିଁ ,ଆସ୍ତେ ଆସ୍ତେ ସମ୍ପର୍କଟିଏ ତିଆରି ହୋଇ ଯାଇଥିଲା, ସେମାନଙ୍କ ଅଜାଣତରେ। ଆଉ ସେ ସମ୍ପର୍କକୁ ଉପଯୁକ୍ତ ସମ୍ମାନ ଦେବାକୁ ଦୁହେଁ ପ୍ରତିଶ୍ରୁତିବଦ୍ଧ ହୋଇ ଯାଇଥିଲେ।
ମାତ୍ର ବିଧିର ବିଧାନ ବଡ଼ ଦୁଃଖମୟ ଥିଲା ଦୁହିଁଙ୍କ ପାଇଁ। ଚନ୍ଦ୍ରିକା ଭୂବନେଶ୍ବର ବସଷ୍ଟାଣ୍ଡରୁ ତା’ର ବଡ଼ ଭଉଣୀ ଭିଣୋଇ ରହୁଥିବା ଚନ୍ଦ୍ରଶେଖରପୁର ଫ୍ଲାଟକୁ ଅଟୋରେ ବସିଲା ପରେ ଦୁର୍ଘଟଣାଟିଏ ଘଟିଗଲା ତା’ ସହିତ ।ଜହ୍ଲାଦ ଅଟୋ ଡ୍ରାଇଭର ଏବଂ ତାର ସାଥୀମାନଙ୍କ ଦ୍ବାରା ନିଜର ସବୁକିଛି ହରାଇ ବସିଲା ଚନ୍ଦ୍ରିକା। ସବୁକିଛି ଆକାଶ ଶୁଣି ସାରିଥିଲା ତା’ର ମାମୁଁ ଙ୍କ ପୁଅ ଠାରୁ। ବହୁତ ଥର ଚେଷ୍ଟା କରି ବି ଚନ୍ଦ୍ରିକା ସହ ଫୋନରେ କଥା ହୋଇପାରିନାହିଁ ଆକାଶ। ଶେଷରେ ଏହି ଚିଠି ଖଣ୍ଡିକ।
ସୁଦୂର ଲାଦାଖ ର ସୀମାନ୍ତ ଅଞ୍ଚଳରୁ ଫେରୁଥିଲା ସେ ଅଳ୍ପ କେତେ ଦିନ ପାଇଁ ଛୁଟି ପାଇ । ଟ୍ରେନରେ ବସି କ୍ଷୀଣ ଆଲୁଅରେ ଚିଠିଟିକୁ ବାରଂବାର ପଢ଼ୁଥିଲା ମେଜର ଆକାଶ ।ପ୍ରେମ ଯେ ଚିର ଅମ୍ଳାନ ! ସେ କାହିଁକି କଳଙ୍କିତ କରିବ ଶାଶ୍ବତ ପ୍ରେମର ପ୍ରବହମାନ ଧାରାକୁ..???
ଜହ୍ନକୁ ତା’ର ନିଜର କରିବାକୁ ବଦ୍ଧ ପରିକର ଆକାଶ। କର୍ତ୍ତବ୍ୟର ଆହ୍ଵାନରେ ସେ ଏପର୍ଯ୍ୟନ୍ତ ଦେଖା କରି ପାରିନି ତା ବାକଦତ୍ତାକୁ ଏତେ ବଡ଼ ଦୁଃଖମୟ ଘଟଣା ପରେ। କେତେ ଅସହାୟ ହୋଇ ସତରେ ବଞ୍ଚିଥିବ ସେ ! ଜହ୍ନ କେବେ ବି କଳଙ୍କିତ ହୋଇ ପାରେ ନା ..…..!!!
# ସୁଦର୍ଶନ ମହାପାତ୍ର, କୁଞ୍ଜବିହାରୀ ଲେନ, କଟକ#