ପ୍ରେମ ଆଉ ସମାଜ
ସୌଭାଗ୍ୟବତୀ ଗିରି
ନା..ନା…ପ୍ରେମ କରିପାରିବିନି ମୁଁ ।
କାରଣ ମୁଁ ବି ସେଇ ସମାଜରେ ରହୁଛି,
ଯେଉଁ ସମାଜ ରାଧାରାଣୀଙ୍କୁ ଦେଇଥିଲା କଳଙ୍କିନୀର ଆଖ୍ୟା,
ଜନକନନ୍ଦିନୀଙ୍କ ଠାରୁ ନେଇଥିଲା ଅଗ୍ନିପରୀକ୍ଷା,
ଆଉ ମୁଁ ଏମିତି କିଏ କି ?
ରଙ୍ଗ ଲଗେଇବାର ଅଛି ଯଦି ହୋଲିରେ ଆସ,
ନାଲି,ନେଳି,ହଳଦି,ସବୁଜ ଯେତେ ରଙ୍ଗ ଚାହିଁବ
ଲଗେଇଦେବ ମୋ ଦେହରେ,
ହେଲେ ଶତ ଅନୁରୋଧ ତୁମକୁ,
ପ୍ରେମ ରଙ୍ଗ ଲଗାନା ମୋ ମନରେ ।
ସହସ୍ର ବାର ଧୋଇଲେ ବି ସେ ରଙ୍ଗ ଛାଡିବନି,
ଝଟଝଟ ହୋଇ ଦିଶିଯିବ ଏ ସମାଜ ଆଖିକୁ,
ତାପରେ……..
ବାଟ,ଘାଟ ଅବା ହାଟ,
ବାଜି ଉଠିବ ନିନ୍ଦା ଅପବାଦର ନାଗରା,
ଏ ସମାଜ ପିନ୍ଧେଇଦେବ ମତେ କଳଙ୍କର ଟୀକା,
ଦେବ କଳଙ୍କିନୀର ଆଖ୍ୟା ।
ତାପରେ ଦିନରାତି ଭିଜୁଥିବି ମୁଁ ଅସରା ଅସରା ଲୁହରେ,
ମରି ମରି ବଞ୍ଚୁଥିବି ପ୍ରତି ମୁହୁର୍ତ୍ତରେ,
ଛଟପଟ ହେଉଥିବି ଅଦେଖା ଯନ୍ତ୍ରଣାରେ,
କେବେ ପୁଣି ଚାଲିଯିବି ସେଇ ଅଫେରା ରାଇଜକୁ,
ଯେଉଁ ରାଇଜରୁ ଆଉ କେହି କେବେ ଫେରେନା।
ଉଜ୍ଜ୍ୱଳ ତାରକାଟେ ହୋଇ ଦପ୍ ଦପ୍ କରୁଥିବି ଆରପାରିରେ,
ସେଥିରେ ବି କୋଉ ଶାନ୍ତି ଯେ,
ଏ ସମାଜ ପରା ତା ନିଜ ଆଖିରେ ଦେଖିଛି,
ଜହ୍ନ ଦେହରେ ବି କୁଆଡେ କଳଙ୍କ ଅଛି,
ସେ ବି କାଳେ କଳଙ୍କିନୀ,
ଆଉ ତାରା କଥା କିଏ ବା ପଚାରେ ।
ନା…ବାବା…ନା…
ମୋର ସେ କାଦୁଅରେ ପଶିବାର ନାହିଁ ,
କି ଗୋଡ ଧୋଇବାର ନାହିଁ।
ପ୍ରେମ କରି ପାରିବିନି ମୁଁ…କରିପାରିବିନି ।
କେନ୍ଦ୍ରାପଡା