…..ପ୍ରେମ ବିଦ୍ୟାଳୟେ….
*********❣️*********
ପ୍ରତି କବିତା ର ସରଳ ପଂକ୍ତି ରେ
ମୁଁ ଉଦ୍ଭାବିଛି ତୁମର ଅସ୍ତିତ୍ବ
କ୍ଷୁଦ୍ର ଗଳ୍ପ, କ୍ଳିଷ୍ଟ ପ୍ରବନ୍ଧ ର ମର୍ମ
ସତେ କି ଗଢିଛି ତୁମର ବ୍ୟକ୍ତିତ୍ୱ !
ସତେ ତୁମେ ମୋ ଗଣିତ ବହିର
ମଧ୍ୟ ଭାଗେ ଛପା କ୍ଳିଷ୍ଟ ପରିମିତି
ଦୁଃଖ ହରିବାରେ କେନ୍ଦ୍ର ବିନ୍ଦୁ ସାଜି
ସଜାଡିଛ ମୋର ଜୀବନ ଜ୍ୟାମିତି
ତୁମେ ଜୀବନ ଵିଜ୍ଞାନେ ପ୍ରତିକ୍ରିୟା ସୃଷ୍ଟ
ସ୍ମୃତି ସଂଯୋଜନେ ସାଜ ଯୌଗିକ
ତୁମ ପ୍ରୀତିଧାରା ଲଭେ ଯେ ଅଷ୍ଟକ
ତୁମେ ବଦଳାଅ ପ୍ରେମ ର ପ୍ରତୀକ
ତୁମେ ଇଂରାଜୀ ସାହିତ୍ୟ ର ବକ୍ଷେ
ଅମାନିଆ ଶବ୍ଦନିର୍ଝର ଟେ ସାଜ
କୁଳୁ କୁଳୁ ହୋଇ ଗୀତ ଗାଇ ଗାଇ
ଭାଷାସିନ୍ଧୁ ରେ ସଙ୍ଗମ ସୃଜ
ସ୍ମୃତି ମରୁଭୂମେ ଶୁଷ୍କ ଜଳ ଧାରା
ତୁମେ ମୌସୁମୀ ଆଭାସେ ବଦଳ
ତୁମ ସ୍ପର୍ଶ ହୃଦେ ଭୂମିକମ୍ପ ସୃଷ୍ଟେ
ତୁମେ ରଚ ନୂଆ ପ୍ରେମ ର ଭୂଗୋଳ
ନୟନ ଫେରାଇ ଚାହିଁଲେ ତୁମକୁ
ଲାଗ ତୁମେ ମୁକୁଟ ବିହୀନ ସମ୍ରାଟ
ସ୍ମୃତି ଇତିହାସ ପୃଷ୍ଠା ରେ ମଣ୍ଡିତ
ତୁମ ହାସ୍ୟଭରା କେତେ ଚିତ୍ରପଟ୍ଟ
ଚାରିଦିଗେ ଦିଶେ ତୁମର ସୁଗୁଣ
ତୁମ ରୂପ ମୟ ବହି ଓ ବସ୍ତାନି
ଅନୁଭବେ ତୁମେ ପ୍ରେମ ମହାରଥୀ
ହୃଦୟ ଜଗତେ ପ୍ରୀତି ର ବିନ୍ଧାଣୀ
***❣️***
✍️ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ
ଛାତ୍ରୀ, ସମାଜ ବିଜ୍ଞାନ ବିଭାଗ
ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ
ତିର୍ତ୍ତୋଲ, ଜଗତସିଂହପୁର
Really am enjoy it , well ink
Wah its super poem