ପ୍ରଥମ ଚିଠି
ସଞ୍ଜ ନଇଁ ଆସୁଥାଏ। ଦୂର ସରଗଲଗା ନଡ଼ିଆଗଛର ମଥା ଉପରେ ଦିଗବୁଡା କଳାବଉଦ ଦେହରେ ଜରିଧଡ଼ି ବୁଣିଦେଇ ସୂର୍ଯ୍ୟ ବୁଡି ଯାଉଥାନ୍ତି। ସବୁଦିନ ପରି ମାଆ ଚଉରା ପାଖରେ ସଂଜବତୀ ଜାଳିଦେଇ ଆସି ପିଣ୍ଡାରେ ବସିଲା। ମୋ ମନରେ ବସନ୍ତର ଶିହରଣ ଖେଳେଇଯାଉଥାଏ। ମୋ ମନ ଘର ଧରୁନଥାଏ। ମୁଁ ସୁଯୋଗ ଉଣ୍ଡି ଆମ ଛାତ ଉପରକୁ ଆସି ଖୋଲା ଆକାଶ ତଳେ ବସି ଭାବନାରେ ବୁଡ଼ିଗଲି। ଭିଜା ବସନ୍ତର ସୁଲୁସୁଲିଆ ପବନରେ ପ୍ରେମର ଡେଣା ମେଲେଇ ମୋ ଆଡେ ମାଡ଼ିଆସୁଥିଲା କଳାବଉଦ। ମୋ ଚାରିପଟେ ଗୋଲାପର ସ୍ପର୍ଶ ଅନୁଭବରେ ବୁଡ଼ିଗଲି କିଛି ସମୟ ପାଇଁ।ମାଆ ଆସି କେତେବେଳେ ମୋ ପାଖେ ବସିଛି, ମୁଁ ଜାଣିପାରିନି। ମାଆ ମୋତେ ଘର ଭିତରକୁ ଡାକି ନେଲା।
ସେଦିନ ରାତି ଅନେକ ହେଇଯାଇଥିଲା ଭୋଜନ ପରେ ମୁଁ ଆଉ ଛାତ ଉପରକୁ ଆସିଲିନାହିଁ। ଶେଯରେ ସବୁଦିନ ପରି ପଡିଲି କିନ୍ତୁ ହାଏ ଭଗବାନ ମୋର ଏଇ ଆଖିରେ ନିଦ ନଥାଏ। ଦେହସାରା ନୂତନ ଶିହରଣ ଖେଳେଇଯାଉଥାଏ। ପରଦିନ ସକାଳେ ମୁଁ ଆଉ ମୋ ସାଙ୍ଗ ଭାରି ମଉଜ କଲୁ। କଦମ୍ବ ବନ ଆଡେ ବୁଲି ବାହାରିଲୁ। ସେହି ପରିବେଶରେ ନୂତନ ଉନ୍ମାଦନା ସୃଷ୍ଟି ହେଉଥିଲା। ମୋ ମନ ପ୍ରଫୁଲିତ ରହୁଥିଲା ମୁଁ ବୁଝିପାରୁନଥିଲି।
କିଛିଦିନ ପରେ ମୋର ଜଣେ ପୁରୁଷ ବନ୍ଧୁ କଣେଇ କଣେଇ ଚାହୁଁଛି ବୋଲି ମୋର ସାଙ୍ଗ ନର୍ମଦା କହୁଥିଲା। ହଠାତ୍ ମୁଁ ରାଗିଗଲି। ସେଦିନ ମଧ୍ୟ ସନ୍ଧ୍ୟାରେ ଆମ ଛାତ ଉପରକୁ ଗଲି ଆଉ ସେଇ ପୁରୁଷ ବନ୍ଧୁ ମୋ ପାଇଁ ବୋଧେ ସେ ବି ତାଙ୍କରି ଘର ଛାତରେ ଅପେକ୍ଷା କରିଥାଏ। ମୁଁ ଟିକେ ବିବ୍ରତ ହେଇ ଚାରିଆଡେ ଚାହିଁଲାବେଳେ ମୋର ତା’ ଉପରେ ନଜର ପଡିଲା। ସେ ମୋତେ ଅପଲକ ଦୃଷ୍ଟିରେ ଚାହିଁ ବସିଥିଲା। ମୁଁ ମୋ କେଶ ଆଢୁଆଳରେ ଉପଭୋଗ କରୁଥିଲି। ମୋର ସେତେବେଳେ ନର୍ମଦା କଥା ମନେ ପଡ଼ିଲା। ମୁଁ ଚେଷ୍ଟାକରୁଥାଏ ଘର ଭିତରକୁ ଯିବାକୁ ହେଲେ ଯେମିତି କେଉଁ ଗୋଟେ ଅଜଣା ଡୋରୀରେ ବାନ୍ଧି ହେଇଥିଲି । ସେଠୁ ଆସିବାକୁ ଚାହୁଁଥିଲେ ବି ଆସିପାରୁନଥିଲି। ଏମିତି କିଛିଦିନ ଚାଲିଲା। ଧିରେ ଧିରେ ମୋର ନିଦ ଚୋରି ହେଇଗଲା ପରି ମନେ ହେଉଥାଏ। ସତେ ଯେମିତି ମୁଁ କାହା ପ୍ରେମରେ ଛନ୍ଧି ହେଇଯାଇଛି। ମୋ ପୁରୁଷ ବନ୍ଧୁ ସୁଯୋଗ ଉଣ୍ଡୁଥାଏ। ଯଦି ସେ ମୋତେ କେଉଁ ନିରବ ସ୍ଥାନରେ ଦେଖାହେଲେ, କିଛି କଥାହବ। କିନ୍ତୁ ମୁଁ ଭାରି ଲାଜେଇ। ଏକୁଟିଆ କୁଆଡେ ଯାଏନି। ନର୍ମଦା ହାତରେ ସେ ଚିଠିଟି ପଠେଇଲା।
ମୋ ମାଆ ଭାରି ରାଗି। ମାଆ ଆଖିରେ ଚିଠି ପଡିଲେ ସବୁ ଫସରଫାଟିଯିବ। ଆମେ ଦୁହେଁ ସୁଯୋଗ ଅପେକ୍ଷାରେ ରହିଲୁ। କିନ୍ତୁ ସେଦିନ ସମୟ ଆମ ସାଥ ଦେଇନଥିଲା। ତା ପରଦିନ ମାଆ ଗୋଟେ କାମରେ ବ୍ୟସ୍ତ ରହିବ ଜାଣି ମୁଁ ଧିରେ ଛାତ ଉପରକୁ ଯାଇ ଚିଠିଟି ଖୋଲିଲି। ଚିଠି ଖୋଲିବା ସମୟରେ ମୋ ଗୋଡହାତ ଥରୁଥାଏ। ଯେମିତି ମୋତେ ପ୍ରୀତି ଫଗୁଣ କାବୁ କରିଛି ତା’ ରଙ୍ଗବେରଙ୍ଗର ଓଢଣୀ ଢାଙ୍କି। ଆଉ ମୋର ବି ସେଇ ପ୍ରେମ ଫାଶରୁ ବାହାରିବାର ବାଟ ନାହିଁ ଯେମିତି। ଚିଠିପଢିଲା ପରେ ମୋତେ ଲାଗିଲା ସତେ ଅବା ମୁଁ ପ୍ରେମର ଅମରବତୀରେ ବୁଲୁଛି। ଘରେ କାଳେ କିଏ ଜାଣିନେବେ ମୋର ଭାରି ଭୟ। ଏ ଦିଗ ପ୍ରତି ଭାରି ଯତ୍ନଵାନ। ତେଣୁ ମୁଁ ଚିଠିଟିକୁ ଧିରେ ଆଣି ମୋ ବହି ଭିତରେ ଲୁଚେଇ ରଖିଦେଲି।
ଆଉ କିଛିଦିନ ଯାଏଁ ଛାତ ଉପରକୁ ଗଲିନି କିନ୍ତୁ, ମନଟା ଭାରି ଉଦାସ ଲାଗୁଥାଏ ବେଳେବେଳେ ମୋ ମନକୁ କିଏ ଚୋରି କରିଛି। ହେଲେ ମୁଁ ଯେ ନାଚାର କରିବି କଣ। ଚୋର ମନ ଚୋର ଗଣ୍ଠିଲିରେ । କେମିତି ଆଉ କେଉଁଠି ଦେଖାହବ ଭାବି ଭାବି ଦିନରାତି ବିତୁଛି। ନର୍ମଦା ହିଁ ଏକମାତ୍ର ଭରଷା । ତାଙ୍କରି ଘରକୁ ଦିନେ ଗଲି। ଦୀର୍ଘଦିନର ଦେଖା ପରେ ଆମେ ଦୁହେଁ କୁଣ୍ଢାକୁଣ୍ଢି ହେଇଗଲୁ। ଆଉ ପୂର୍ବପରି ସେଇ କଦମ୍ବ ବନ ଆଡେ ବୁଲି ଗଲୁ। ସେଠି ମୁଁ ବଖାଣି ବସିଲି ଚିଠି ପାଇବା ପରର ମନର ଅବସ୍ଥା। ସେ କହିଲା ଯେ’ କାଳେ ମୋତେ ପ୍ରେମ ହେଇଛି। ମୋ ଆଖି ଆଉ ମୁହଁକୁ ଦେଖିଲେ ବାରିହେଉଛି। ମୁଁ ଟିକେ ଲାଜେଇ ଗଲି। ସେ କହିଲା କଥାଟା ଏଥର ଜମିଲା। ତା’ ହେଲେ ତୋର ଭୋଜି କଥା କହ। ମୋର ହଠାତ୍ ମାଆର ତାଗିଦ ମନେ ପଡ଼ିଲା। ଆମେ ଦୁହେଁ ଯେଝା ଘରକୁ ଫେରିଲୁ।
ମୋର ହାବଭାଵର ପରିବର୍ତ୍ତନ ମାଆ ଟିକେ ଲକ୍ଷ୍ୟ କରୁଥାଏ। ଏମିତି କିଛିଦିନ ପରେ ମାଆ, ମୁଁ ବିଚଳିତ ହେବା କାରଣ ପଚାରିଲା। ମୁଁ କିନ୍ତୁ ନିରବ ରହିଲି। ପୂର୍ବପରି ଛାତ ଉପରେ ଦୁହେଁ ପରସ୍ପରକୁ ଦେଖାଦେଖି ଏବଂ ଭାବ ଆଦାନପ୍ରଦାନ ଚାଲିଲା । ଧିରେ ଧିରେ ପରସ୍ପରକୁ ଶୟନେ, ସପନେ, ଜାଗରଣେ ଅତି ପାଖରୁ ପାଇବାକୁ ଲାଗିଲୁ। ସବୁ ରାତି ଚାନ୍ଦିନୀ ରାତି ହେଉଥିଲା । ପୁନେଇଁ ରାତିରେ ଦୁହେଁ ଜହ୍ନ ତଳେ ବସି ରୂପ ଓ ଗୁଣ ବର୍ଣ୍ଣନାରେ ରାତି କଟୁଥିଲା। ଦିନାକିଛି ଭାରି ଫଗୁଣ ଫଗୁଣ ଲାଗିଲା। କିନ୍ତୁ ଦିନେ ସେ କୌଣସି ଗୋଟେ କାର୍ଯ୍ୟରେ ଵ୍ୟସ୍ତ ରହିବାରୁ ଆଉ ସେଦିନ ଏତେ ଭାବ ଦିଆନିଆ ହେଇପାରିଲାନି ମୁଁ ତ ଭାରି ଖପା। ଆଉ କଣ କହିବି, ସେ ମୋ ହାତ ଧରି, ଗୋଲାପ ଫୁଲ ଦେଇ,କେତେ କଣ ଖୋସାମତ କଲା। ଏଥୁଅନ୍ତେ ସେ ବିବାହ ପ୍ରସ୍ତାବ ନେଇ ଘରକୁ ଆସିଲା । ପିତାମାତାଙ୍କ ସମତିରେ ବିବାହ କାର୍ଯ୍ୟ ଯଥାରୀତିରେ ସମ୍ପାଦନ ହେଲା।
ବାଇରୀ ଦେବୀ
ଅଧ୍ୟାପିକା, ଗଂଜାମ ମହାବିଦ୍ୟାଳୟ, ଗଂଜାମ