ପ୍ରତାରିତା

          ବନଲତା ଜାଲି

ଉଦାସ ସେ ଆଖି ତଳେ
ଅତୀତର ଅଭୁଲା ସେ ଦିନ
ଭ୍ରାନ୍ତ ଏଇ ମନ କୋଳେ
କେଉଁ ଏକ ଅଚାନକ ସ୍ବପ୍ନ
ବିଭତ୍ସତାର ଚରମସୀମାରେ
ସୀମାହୀନ ଏକ ଅସୁମାରୀ ଆଶା
ଶୁନ୍ୟତାରେ ଭରିଯାଏ
କେଉଁ ଏକ ଅମାନିଆ ନିଶା ।।

କାହାର କପଟତାରେ ତୁଟିଯାଏ
ତା’ର ସେ ଅତୁଟ ବିଶ୍ୱାସ
କାହାର ପ୍ରତାରଣାରେ ରୁଦ୍ଧହୁଏ
ଦୀର୍ଘ ଶ୍ୱlସୀ ପ୍ରଖର ନିଶ୍ୱାସ ।।

କାହାର ପ୍ରତୀକ୍ଷାରେ ଭାଙ୍ଗିଯାଏ
ତା’ଧର୍ଯ୍ୟର ବାଲିବନ୍ଧ
କାହାର ବାଟକୁ ଚାହିଁଚାହିଁ
ଆଖି ତା’ର ହୋଇଯାଏ ଅନ୍ଧ ।।
ମୂଲ୍ୟହୀନ ଦେହ ତା’ର ପାଲଟିଛି
ଦଗ୍ଧୀଭୂତ ଏକ ଜୀବନ୍ତ ଶବ
ଏଇ ସ୍ଥାନ ଛାଡିଦେଲେ
ଭାବେ ସିଏ କେଉଁଠିକି ଯିବ ।।
ତା’ପାଇଁ ତ ପାଲଟିଛି ସ୍ୱର୍ଗ ଏଇ
ନରକର ପୁଣ୍ୟଭୂଇଁ
ତାକୁ ଛାଡିଦେଲେ ଦୁନିଆଁରେ
ବୋଧେ ଭଲ ଜାଗାଟିଏ ନାହିଁ।।

କୃଷ୍ଣ ପ୍ରସାଦ, ପୁରୀ

Leave a Reply

Your email address will not be published. Required fields are marked *