*ପ୍ରଭାତ ଦେଲାଣି ଡ଼ାକ*
ନବୀନ ପ୍ରଭାତ ଆସିଲା ଉଇଁ
ଚଞ୍ଚଳ ହୋଇଲା ଧରା
ଶୀତ ସମ୍ଭାରର ଶୀତଳ ଛୁଆଁ
ଚେତେଇ ଦେଲାଣି ପରା ll
ଉଠ ଉଠ ଆହେ ଜଗତ ଜୀବ
କରମ ଆଦରି ଚାଲ
ପ୍ରକୃତି କୋଳେ ସୁନ୍ଦରତା ଯେତେ
ବାରତା ଦିଅଇ ଭଲ ll
ନାଲି ସୁରୁଜ ବୁଣାଇ ମୁରୁଜ
ସଭିଙ୍କୁ ନିଜର କରେ
ଭଲ ମନ୍ଦର ବାଛ ଅବିଚାର
ତାର ଜ୍ଞାନ ଶୁଭ୍ରତାରେ ll
ଚଞ୍ଚଳ ନଈ ଚହଲି ଚହଲି
ଗୀତ ଗାଇ ବହିଯାଏ
ସିନ୍ଧୁ ଗରଭେ ଅହଂକାର ଛାଡି
ହସି ହସି ମିଶି ଯାଏ ll
ଶାଖା ପ୍ରଶାଖା ମେଲାଇ ବୃକ୍ଷ
ନିର୍ବିକାର ହେଇଯାଏ
ଦାନୀ ଦାନୀଠୁ ମହାଦାନୀ ହେଇ
ସଗରବେ ଶେଷ ହୁଏ ll
ଦୂର ପରବତ ଆଖିକୁ ଶୋଭା
ସୁନ୍ଦର ତାହାର ଗୁଣ
ଆସୁ ପଛେ ଯେତେ ବାଧା ବିପଦ
ନଭାଙ୍ଗେ ତାହାର ପଣ ll
ଉଠି ପଡ ଆହେ ବାଳୁତ ଶିଶୁ
ପ୍ରଭାତ ଦେଲାଣି ଡ଼ାକ
ଏବେ ନ ଉଠିଲେ ସାରା ଜଗତରେ
ନ ବାସିବ ତୋ ମହକ ll
*ସୁରଡ଼ିହା ,ବାଲିଆପାଳ ,ବାଲେଶ୍ୱର*
*ଶିକ୍ଷକ*
450 total views, 1 views today