#ପ୍ରଭାତ_ବର୍ଣ୍ଣନା (କ ଆଦ୍ୟାନୁପ୍ରାସ)
କଳା ରଜନୀର କାଳିମା ବିନାଶି
କରମୟ ଗଲେ ଉଇଁ,
କାକ କଳଘୋଷ କଳରବ କଲେ
କୁମୁଦ ଉଠିଲା ଚେଇଁ…..।
କିମିଆ କିରଣ ବିଞ୍ଛିଦେଲେ ଯେବେ
କଳାକର ଗଲେ ହଜି
କୀର କିଶଳୟ ଛାଡ଼ି ଦୂରେ ଉଡ଼େ
କି’ କହିବା ଶୋଭାରାଜି !!
କୁହେଳିକା ଘେରେ ଶ୍ୟାମଳ କେଦାର
କରେ ତାକୁ ଆଲିଙ୍ଗନ
କଳକଣ୍ଠ ରବ କାୟାରେ ଖେଳାଏ
କମନୀୟ ଶିହରଣ…..।
କୁଳୁ କୁଳୁ ନଈ ମହ୍ଲାର ଗାଇ
କହେ ପ୍ରକୃତିର ମାନ
କାକର ରୌପ୍ୟ ରୂପ ଧରି ଚୁମେ
କହ୍ଲାର ମନ ପ୍ରାଣ….।
କର୍ଷକ ସାଜିଛି ପ୍ରକୃତି ରାଣୀଟା
କୁଙ୍କୁମେ ହେଉଛି ସଜ
କର୍ଷଣ କରି କବିର ମନଟା
କବିତା ବୁଣୁଛି ବୀଜ ।।
✒️ #ସୁପ୍ରଜିତ୍ ସାହୁ
One thought on “*ପ୍ରଭାତ ବର୍ଣ୍ଣନା– ସୁପ୍ରଜିତ ସାହୁ*”