ପ୍ରତୀକ୍ଷା
ତୁମେ ଦିନେ କହିଥିଲ,ମୁଁ ଆସିବି
ଫଗୁଣର ରଙ୍ଗ ବଦଳାଇ
ଭିଜାଇବି ରିମ୍ ଝିମ୍ ଶ୍ରାବଣରେ
ହୃଦୟର ଶୁଷ୍କତାକୁ ଧୋଇ ।।
ଗ୍ରୀଷ୍ମର କିରଣ ପରି ଆଶା ତୁମ
ହେବ ଦୀପ୍ତିମନ୍ତ,ତେଜଷ୍କ୍ରିୟ
ମୃତ୍ୟୁ ହିମ ଆଲିଙ୍ଗନେ ଚକ୍ଷୁ ତୁମ
ସବୁବେଳେ ହେବ ସ୍ବପ୍ନମୟ ।।
ମରୁଭୂମି ଉଷ୍ଣତାକୁ ପାଲଟାଇ
ଜହ୍ନର ଶୀତଳ ଜୋତ୍ସ୍ନ୍ଯା ପରି
ଭରିଦେବି ହସଖୁସି ସବୁଜିମା
ବୁହାଇଣ ଆନନ୍ଦର ବାରି ।।
ମେଘ ରଙ୍ଗ ନେଇ ଆଖିରେ ତୁମର
ନାଇଦେବି ଗାର କଜଳର
ରଙ୍ଗ ଝଡି ନେଇ ଅଧରେ ତୁମର
ଲାଲିମା ଭରିବି ଗୋଲାପର ।।
ପ୍ରକୃତି ଅଙ୍ଗନୁ ନାନା ଜାତି ଫୁଲେ
ସଜାଇବି ତୁମରି କବରୀ
କଣ୍ଠେ ଭରିଦେବି କୋକିଳର କୁହୁ
ସାତସୁର ପଡୁଥିବ ଝରି ।।
ସ୍ବର୍ଗ ରାଇଜରେ ତୋଳିଦେବି ଘର
ସ୍ବପ୍ନ ମହଲରେ ଦେବି ରଖି
ପ୍ରଜାପତି ପରି ଉଡି ବୁଲୁଥିବ
ମନ ଇଲାକାରେ ସ୍ମୃତି ମାଖି ।।
ଇନ୍ଦ୍ରଧନୁ ପରି ସାତ ରଙ୍ଗ ଭରି
ଭୁଲିଗଲ ଦେଇଥିବା କଥା
ଅଧାବାଟେ ରାସ୍ତା ଭାଙ୍ଗି ଚାଲିଗଲ
ବୁଝିଲନି ହୃଦୟର ବ୍ୟଥା ।।
କାଟିଦେଲ ଭରସାର ବାଲିବନ୍ଧ
ଭାସିଗଲା ଆଶାର ସଉଧ
ଅତୃପ୍ତି ଅନଳେ ଅହେତୁକ ସ୍ପର୍ଶେ
ପରାଣ ମୋ ହେଉଅଛି ଦଗ୍ଧ ।।
ଭସା ମେଘ ହୋଇ ଘୁରି ବୁଲୁଛି ମୁଁ
ଲକ୍ଷ୍ୟହୀନ ଜୀବନକୁ ନେଇ
ଚାତକିନୀ ପରି ଆକୁଳେ ଚାହିଁଛି
ବିଶ୍ୱାସର ତୃଷ୍ଣାକୁ ମେଣ୍ଟାଇ।।
ପାଷାଣୀ ଅହଲ୍ଯା ହୋଇ ମୁଁ ପଡିଛି
ଆସ ତୁମେ ଅନୁତପ୍ତ ହୋଇ
ଅନୁରକ୍ତାଟିଏ ମଉନେ ଝୁରୁଛି
ଏ ପ୍ରତିକ୍ଷା ଖାଲି ତୁମ ପାଇଁ ।।
ବନଲତା ଜାଲି,କୃଷ୍ଣ ପ୍ରସାଦ,ପୁରୀ ।।