ପିଲାଦିନ
*******

କିଏସେ ଛଡ଼ାଇ ନେଲା
ମୋ ହାତରୁ କାଗଜର ପୋତ
ଓଦା ସିଲଟ ଶୁଖାଇବାର
ନିଆରା କଳା କୌଶଳ,
ସେ ଭାବମୟ ମନ୍ତ୍ର !!

ଏବେ ଭାରି ମନେପଡେ
ମଉଳା ସଞ୍ଜରେ…
ହଳଦୀ ଗୁରୁ ଗୁରୁ ଜହ୍ନିଫୁଲର
ତାରକସି କାମର ଭାସ୍କର୍ଯ୍ୟ
ନଈ ଆରପଟ ତୋଟାମାଳେ
ଛପି ଯାଉଥିବା ନାଲିଆ ସୂରୁଯ
ବରଗଛ ତଳେ ବାଗୁଡ଼ିର ମଜା
ଆଉ ବରଷକେ ଥରେ
ଖୁସିର ପାର୍ବଣ…
ପୁଲକରେ ଭରା ଗଜଲକ୍ଷ୍ମୀ ପୂଜା !!

ମନେପଡେ…
ଭୋଦୁଅ ମାସରେ
ଅଧା ଖରା ବରଷାରେ
ଆକାଶ ଛାତିରେ ଅଙ୍କା
ଇନ୍ଦ୍ରଧନୁର ଝୋଟି,
ଜାଙ୍ଗୁଲୁ ଜାଙ୍ଗୁଲୁ ଅନ୍ଧାରେ
ହୁକେ ହୋ ଶବ୍ଦ…
ଭୟାତୁର ଛାତିର ସ୍ପନ୍ଦନ
ବୋଉର ପଣତ କାନି
ଅବା ତା’ ଲଳିତ ସ୍ବରରେ
ବିଲୁଆ ନନାର ବାହାଘର ଗୀତି ?

କାନ ଡେରିଲେ
ଏବେ ବି ଶୁଭି ଯାଉଛି
ଭ୍ରମର ଅବା ମହୁମାଛିଙ୍କର
ମୃଦୁ ଗୁଞ୍ଜରଣ…!
ଖୋଜିହୁଏ ଜେଜେମା’ଙ୍କ ମନ ବୃନ୍ଦାବନ
ଭାବ ଖଟୁଲିରେ ପରା ବିଜେଥାନ୍ତି ତାଙ୍କ
କଳାକାହ୍ନୁ ମଦନମୋହନ…!!!

ପାରୁଚ ତ’ ଫେରେଇ ଦିଅ
ଦମକାଏ ଚଇତାଳି ପରି
ମନଟିଏ ଖୋଜି ବୁଲୁଥିବା
ସେ ସରଳପଣ
ମୋର ସେଇ ପିଲାଦିନ …!!!

# ସୁଦର୍ଶନ ମହାପାତ୍ର,କୁଞ୍ଜବିହାରୀ ଲେନ,କଟକ#

Leave a Reply

Your email address will not be published. Required fields are marked *