ଫଗୁଣ
ଫଗୁଣ ଫେଇଛି ପ୍ରୀତି ର ପସରା
ବସନ୍ତ ର ପ୍ରତ୍ୟୁଷ ରେ,
ମଳୟ ବଳୟେ ଅମିୟ ପ୍ରବାହ
ସୃଷ୍ଟି ଆଉ ସମଷ୍ଟିରେ.
ଲାଲୀମା ମଞ୍ଜୁଳ ଲାବଣ୍ୟ ଲାଳିତ୍ୟ
ଶିମୁଳି ର ପରିପାଖ,
ଲୋଭା ବନ ତୋଟା ସୁଦୃଶ୍ୟ ବିପଠା
ପଳାଶ ଅଙ୍ଗେ ପାବକ.
ରମଣୀୟ କାନ୍ତି ନବ ପଲ୍ଲଵନେ
ବିମୁଗ୍ଧା ବିଭୋରା ଧରା,
ମେଘାମ୍ବରୀ ପାଟେ ଓଢଣୀ ସୁନ୍ଦର
ସ୍ୱପ୍ନିଳ ଆବେଗ ଭରା.
ମୁକ୍ତା ଝରା କାନ୍ତି ଭୂଗୋଳ ଜ୍ୟାମିତି
ମାୟା ମୁଗ୍ଧ ଚାରୁ ଚିତ୍ର,
ବିଧୁର ବିତାନ ଶ୍ୟାମ ରଙ୍ଗେ ରଙ୍ଗା
ଯେ ପ୍ରୀତି ଐଶୀ ଶାଶ୍ୱତ.
ମୁକୁଳା ବଉଳ ମୃଦୁଳ ମଞ୍ଜୁଳ
ବାସ ବହି ବାତ ମୋହେ,
ପ୍ରୀତି ଉଜାଗରେ ପ୍ରେମ ବି କଅଁଳେ
ପରାଭୃତ ଗୀତି ତାଳେ.
ପ୍ରଣୟ ଇପ୍ସିତ ଆଦିମାରଣ୍ୟକ
ଚିରନ୍ତନ ଓ ଶାଶ୍ୱତ
ପ୍ରୀତିର ଫଗୁଣ ମୁକ୍ତ ଆବରଣ
ଅଳିକ କ୍ଷୟାବିଭୂତ.
ଫଗୁଣ ପରଶେ ଶିହରଇ ତନୁ
ମଧୁପ ଗୁଞ୍ଜନ ଗୁଞ୍ଜେ,
ପ୍ରୀତି ଫୁଲ ଫୁଟେ ସାରା ଅଗଣାରେ
ମଧୁ ବସନ୍ତ ବିରାଜେ.
ଗେଣ୍ଡାଳିଆ ଉଡେ ଧୋବ ଡେଣା ଝାଡେ,
ଶ୍ୱେନ ରଚଇ କୁଲାୟ,
ପ୍ରଜାପତି ଉଡେ ପରାଗ ବି ଝଡ଼େ
ସୃଷ୍ଟି ହୁଏ ପ୍ରାଣମୟ.
ସପ୍ତରଙ୍ଗ ବୋଳି ଫଗୁଣ ସୁନ୍ଦର
ଶ୍ରୀହୀନ ରେ ଭରି ଶିରୀ,
ଦୋଳ ବିମାନରେ ଶ୍ରୀ ଦୋଳ ଗୋବିନ୍ଦ
ଶୁଭେ ଶଙ୍ଖ ହୁଳହୁଳି।
ମିନତି ଦାଶ
ବାରିପଦା