ପଥ କୁ ସମ୍ବଳ
ଜୀବନ ଏମିତି ଅମାନିଆ ନଈ
ବହିଯାଏ ବହିଯାଏ,
ହୃଦୟ ଭିତରେ ଅବ୍ୟକ୍ତ ବେଦନା
ସହିଯାଏ ସହିଯାଏ।
କହରେ ଜୀବନ କେଉଁ ଦୋଷ ପାଇଁ
ଏତେ ଦୁଃଖ ସହି ଯାଉ,
ସଭିଙ୍କର ଦୁଃଖ ଦୂର କରିବାକୁ
କାହିଁକି ଶପଥ ନେଉ।
ଅଦିନିଆ ମେଘ ଭସାଇଣ ନିଏ
ତୋ ସୁନ୍ଦର ଟିକି ଘର,
କେଉଁ ଦୁର୍ବାସା ର ଅଭିଶାପ ପାଇ
ହେଉ ଏତେ ହରବର।
କେଉଁଠୁ ଆସିଲୁ ଯିବୁ କେଉଁଠାକୁ
ଜାଣିଛୁ କି କେବେ ତୁହି,
କାହାପାଇଁ ଖଟୁ କାହାପାଇଁ ଲୋଟୁ
ଜାଣିତ ପାରୁନି ମୁଁହି।
ଝରା ଶେଫାଳିର ଆୟୁଷ ନେଇଣ
ଫୁଟି ଅଛୁ ବଗିଚାରେ
ରାତ୍ରୀ ସରିଗଲେ ସପନ ସରିବ
ପଡ଼ିଲୁ କିମ୍ପା ମୋହରେ।
ଯାତନାରେ କେବେ ପାଉଛୁ କଷଣ
କେବେ ହର୍ଷେ ଯାଉ ମାତି
ସୁନ୍ଦର ଧରିତ୍ରୀ ଚିର ସବୁଜିମା
ବିତାଉ ତୁ ଦିନ ରାତି।
ଯେଉଁଠୁ ଆସିଛୁ ଯିବୁ ତହିଁ ଫେରି
ମନରେ ଆଜି ତୁ ହେଜ,
ପଥକୁ ସମ୍ବଳ ରାମ କୃଷ୍ଣ ନାମ
ବେଳ ଥାଉ ଥାଉ ଭଜ।
ନନ୍ଦିନୀ ରାଉତ
ଅନୁଗୋଳ