ପଣତ କାନିର ଛାଇ
***************
ଆଗରୁ ନଜଣାଇ ଦିନେ ପହଂଚି ଯାଇଥିଲି ନାନୀ ପାଖରେ ।କେଉଁ ଯୁଗରୁ ଅପେକ୍ଷା କଲାଭଳି ମୋତେ ଦେଖି ଖୁସିରେ କୁରୁଳି ଉଠିଲା ।ଭଲମନ୍ଦ ସବୁ ପଚାରି ବୁଝିଲା । ପ୍ରାଇଭେଟ୍ କମ୍ପାନୀ ଚାକିରୀରୁ ମୁଁ ନିବୃତ୍ତ ହୋଇ ଯାଇଛି ଜାଣି ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଲା।ଅସୁବିଧାରେ ମୋ ସହିତ ସବୁ ସମୟରେ ଅଛି ବୋଲି ଆଶ୍ବସନା ଦେଲା । ମୁଁ ଖୁସିରେ ବିଭୋର ହୋଇ ଉଠୁଥିଲି..!
ଶାଢୀଟିଏ ତା ପାଇଁ ନେଇଥିଲି ।ଛୋଟ ଝିଅଟିଏ ପରି ଖୁସିରେ ନାଚି ଉଠିଲା ଯେମିତି ।ବାଲ୍କୋନୀରେ ଥାଇ ପାଖ ପଡୋଶୀଙ୍କୁ ଶାଢୀଟିକୁ ଦେଖାଇଲା ।୩୦୦ ଟଂକାର ସୂତା ଶାଢୀକୁ ୩୦୦୦ ଟଂକାର ପାଟଶାଢୀ ଭଳି ବଖାଣୁଥାଏ ହସି ହସି।ଶାଢୀର ରଂଗ,ରୂପକୁ ଅଜସ୍ର ପ୍ରଶଂସା କଲା । “ମୋ ଗେହ୍ଲା ଭାଇ ଆଣିଛି” ବୋଲି କହୁଥିବାର ଶୁଣୁଥିଲି ଭିତରେ ଥାଇ। ମୁଁ ଖୁସିରେ ଫାଟି ପଡୁଥିଲି…!
ଖାଇବା ଥାଳି ପାଖରେ ବାଢି ଦେଇଥିଲା ମୁଁ ଭଲ ପାଉଥିବା ସୋରିଷ ବାଟଣ ଦେଇ ଭେଣ୍ଡି ,ଦହି ବାଇଗଣ,
ମାଛ ବେସର ଇତ୍ୟାଦି..।ବଳେଇ ବଳେଇ ଖୋଉଥିଲା ସେ।ଖାଇ ସାରିଲାବେଳକୁ ଗିନାଏ ଖିରୀ ।ଯେଉଁଟା ମୋର ସବୁଠୁ ପ୍ରିୟ ।ଅନୁଭବ କରୁଥିଲି ମୋ ବୋଉର ଦ୍ବିତୀୟ ସଂସ୍କରଣକୁ, ନାନୀ ରୂପରେ…!
ଠିକ୍ ଦୁଇ ମାସ ପରେ ପୁଣି ପହଞ୍ଚିଥିଲି ତା’ ଘରେ। ଏଥରକ ଅଚାନକ ଖବର ପାଇ । ସେ ମହାନିଦ୍ରାରେ ଶୋଇ ଯାଇଥିଲା ମୁଁ ପହଞ୍ଚିଲା ବେଳକୁ। ତା’ ମୁହଁରେ ଝଟକୁଥିଲା ଯେମିତି ସେହି ଚିରାଚରିତ ହସ ।ତା’କୁ ଅହ୍ୟରାଣୀ ବେଶରେ ସଜାଇ ଦେବାକୁ ପଡୋଶିନୀମାନେ ଆସିଲେ। ନାନୀ ସାଇତି ଥିବା ଶାଢୀଟିକୁ ଆଣି ଆସିଲେ ,ତାକୁ ପିନ୍ଧାଇ ଦେବାକୁ । ମୁଁ ବିକଳ ହୋଇ ଚାହିଁ ରହିଥିଲି ସେହି ଶାଢୀଟିକୁ …….!
ଅନୁଭବ କରୁଥିଲି ସେ ପଣତ କାନିର ଛାଇ ମୋ ମଥା ଉପରୁ ଅପସରି ଯାଇଥିଲା ସବୁଦିନ ପାଇଁ।
# ସୁଦର୍ଶନ ମହାପାତ୍ର,କୁଞ୍ଜବିହାରୀ ଲେନ,କଟକ#
309 total views, 1 views today