ପାଦର ଅଳତା
ତୁମ ଅଗଣାକୁ କରିଥିଲା ରଙ୍ଗୀନ
ତାହା କଅଣ ଥିଲା
ମୋ ପାଦର ଅଳତା
ନା ଖଣ୍ଡାଧାର ରେ ବାଟଚାଲିବାକୁ
କରିଥିବା ପ୍ରୟାସ ର ପରିଣାମ…
ପାଦରୁ ଝରୁଥିଲା ଲାଲରଙ୍ଗ
ଅଳତାର ନା ଲହୁର
ଗୋଡ଼ରେ ଆଡେଇ ଆସିଥିଲି
ଆପଣାର ସମ୍ବନ୍ଧୀଙ୍କୁ
ଆଉ ସୃଷ୍ଟି କରିବାକୁ
ନୂଆ କେତେ ସମ୍ପର୍କ….
ତୁମ ଘରକୁ ସଜାଡ଼ିବାକୁ
ଉଜାଡିଲି ମୋର ଅତୀତ
କେତେସ୍ବପ୍ନ ଦେଖିଥିଲି
ତୋଳିବି ଏକ ବାସ୍ତବ ସ୍ୱର୍ଗ
ଯେଉଁଠି ଅଛନ୍ତି ମୋର
ଜୀବନ୍ତ ଦେବତା…
ଚଉରାରେ ତୁମର ସଞ୍ଜବତୀ ଜାଳି
ସପ୍ତପୁରୁଷଙ୍କୁ କରିବି ତୃପ୍ତ
ସୁଖ ମନାସିବି
ଜଳିଜଳି ଜଳିଯିବି
ସଂଜର ସଞ୍ଜବତୀ ପରି…
ଦୁଃଖସବୁ ପିଇଯିବି
ହସୁଥିବି ଏକ ନିସ୍ଵାର୍ଥ ହସ
ଯେଉଁଠି ନଥିବ ଆବିଳତା
ଆଉ ମୋରତୋର ଭାବ
ସଭିଙ୍କ ଭିତରେ ମୁଁ ହଜାଇଦେବି
ମୋର ନିଜସ୍ୱ ସତ୍ତା..
ସକାଳରୁ ସଞ୍ଜ
ଭୁଲିବି ଅଳଶପଣ
ସମସ୍ତଙ୍କ ମନକୁ ଜିଣୁଜିଣୁ
ବୟସକୁ ଭୁଲିଯିବି
ତୁମର ଭବିଷ୍ୟତ ଗଢିବାକୁ
ମୋର ଭୁଲିବି ବର୍ତ୍ତମାନ..
ପାଦଧୂଳି ଚନ୍ଦନମଣି
ମଥାରେ ନାଇବି
ଖୁସି ବାଣ୍ଟୁବାଣ୍ଟୁ
ପରିଚୟ ବଦଳିବ
ସାଜିବି ମମତାମୟୀ…
ତଥାପି ଯେଉଁ ସ୍ୱପ୍ନ
ଆଖିରେ ଦେଖିଥିଲି
ଶେଷ ପର୍ଯ୍ୟନ୍ତ ସାଉଣ୍ଟୁଥିବି
ସଜାଇହୋଇ ପାଲିଙ୍କିରେ
ଗାଁ ଶେଷ ଠିକଣାକୁ ବିଦାୟନେବି….
ସେହି ଦୁଇ ପାଦରେ
ଦୁଇ ଧାର ଅଳତା
ମୋର ହସୁଥିବ ଖିଲିଖିଲି…
ମମତା ପାତ୍ର
ତିପୁରି, କଣାସ, ପୁରୀ