*ପବିତ୍ର ହୃଦୟ*
ଉଡିଯିବ ଦିନେ ଜୀବନ ବିହଙ୍ଗ
ଛାଡି ଅଭିଳାଷ ବସା
ଡୁବିଯିବ ନିଶ୍ଚେ ଆୟୁଷ ନଉକା
ତେଜି ମାୟାଘାଟ ନିଶା।
ହଟିବ କାୟାରୁ ରୂପର ବର୍ଣ୍ଣାଳୀ
ଆଇନା ଲାଗିବ ବିଷ
ପଡିଯିବ ପାଟି ପାରିବିନି ଖୁଣ୍ଟି
ଦିଶିବନି ଶବ୍ଦକୋଷ ।
ହୀରା ନୀଳା ଅବା ମୋତି ମାଣିକ୍ୟର
ଲୋଭ ବି ଲାଗିବ ମନ୍ଦ
ନୀରବଦ୍ରଷ୍ଟା ହେ ନିର୍ବିକାର ଭାବ
ଜୀବନ ଜିଇଁବା ଛନ୍ଦ।
ଆଖିକୋଣେ ଅଶ୍ରୁ ଓଷ୍ଠାଧାରେ ହସ
ସର୍ଜନା ସୃଜକ ତୁମେ
ପବିତ୍ର ହୃଦୟ ପୂର୍ଣ୍ଣତମ ପ୍ରଭୁ
ପାପୁଲି ପାଖୁଡା ନମେ।
ମନ ମୋ ମନ୍ଦିର ମମତା ମୋ ପୂଜା
ହେଉ ମୋ ଜୀବନ ବ୍ରତ
ଯଶ ଚିରନ୍ତନ ସ୍ମୃତି ତ ଅମର
ଦେଖାଅ ସେ ସତ୍ୟପଥ।
ଗୀତା ଭାଗବତ ପାଠ ହେଉ ନିତ୍ୟ
ପବିତ୍ର ହୃଦୟ ଭାର
ବ୍ରହ୍ମଜ୍ଞାନ ମନେ ସଞ୍ଚାର କରିବ
ଆଶା ଅଭିଳାଷ ମୋର।
ନୀହାରିକା ପଣ୍ଡା ରାକମା ,ନୟାଗଡ଼
358 total views, 1 views today