ମୁଁ ଏବେ ଆଧୁନିକ
ନଡିଆ ତେଲକୁ ଆଉ ଲଗାଉନି
ଫର୍ ଫର୍ ହେଇ ଚୁଟି ଉଡୁଛି,
ସାଲୱାର୍ କମିଜ୍ ପିନ୍ଧୁନାହିଁ ମୁଁ
ଜିନ୍ସ ପିନ୍ଧିକି ଚାଲିଯାଉଛି।
ପାରାଗନ୍ ଜୋତା ଚୁଲିକୁ ଗଲାଣି
ପେନସିଲ୍ ହିଲ୍ କିଣିସାରିଛି,
ଶିଖିଗଲିଣି ମୁଁ ଇଂରାଜୀ କହିବା
ଥଙ୍ଗ ଥଙ୍ଗ ହୋଇ କହିଦଉଛି।
କଳାବିନ୍ଦି ଦେଖି ଖୁସି ହଉନି ମୁଁ
ପାର୍ଲର ରାସ୍ତା ଜାଣିଗଲିଣି,
ସନ୍ ଗ୍ଲାସ୍ କୁ ପିନ୍ଧିଦେଇକରି
ସହରରେ ଏକା ଦୋୖଡିଲିଣି।
ପଖାଳ ଆମ୍ବୁଲ ଆଉ ଖାଉନାହିଁ
ଖାଉନି ବାଡି ବରକୋଳି,
ପିଜା ବର୍ଗର ଏବେ ଖାଉଅଛି
ଚାକଚକ୍ୟରେ ଖେଳି ଦୋଳି।
ଖଟିଆରେ ଆଉ ଶୋଇପାରୁନାହିଁ
ଲୋଡ଼େ ନରମ ତକିଆ,
ପାଦରେ ଆଉ ତିଳେ ଚାଲୁନାହିଁ
ଅଛି ଏବେ ଚାରିଚକିଆ।
ଗାଁ ରାସ୍ତା ଏବେ ଅଚିହ୍ନା ଲାଗୁଛି
ନଳ ପାଣି ଲାଗେ ପିତା,
ପାହାଡ଼ ପବନ ପୁଣି ଅସୁନ୍ଦର ଲାଗେ
ମନ ମୋହୁନି ଗଛ ଲତା।
ସହରରେ ରହି ସହରୀ ଏବେ ମୁଁ
ହେଲିଣି ପୁରା ବିକଶିତ,
ପକ୍କା ଘରେ ରହି ମାଟି ଭୁଲିଲିଣି
ଆଉ ପିଲାବେଳ ମିତ।
ସାଇ ପ୍ରଭା ସୁତାର
316 total views, 2 views today