*ନଇଁଗଲା ଆପେ ମଥା*
*ଶ୍ରୀ ବଟକୃଷ୍ଣ ଓଝା*
ସାଇକେଲଟିଏ କିଣିବ ଅନନ୍ତ
ସାଇତିଛି କିଛି ଧନ,
ଏକଥା ଜାଣିଲେ ଗୋପବନ୍ଧୁ ବାବୁ
ଅଥିର ହୋଇଲା ମନ ।
ମନକଥା ମନେ ରଖି ଗୋପବନ୍ଧୁ
କହିଲେ, “ଅଭାବ ଭାରି,
ଟଙ୍କା ଥିଲେ ଦିଅ ଦେବି ମୁଁ ‘ଅନନ୍ତ’
ଗଲେ ଦିନ ଦୁଇ ଚାରି ।”
ଟଙ୍କା ଥଳି ଆଣି ଥୋଇଲେ ଅନନ୍ତ
ଦାସେ ଆପଣଙ୍କ ପାସେ,
ହାତେ ଧରି ଥଳି ଚାହିଁଲେ ନିମିଷେ
ଦୁଃଖ ମିଶା ଦରହାସେ ।
ଚାରି ଦିନ ଯାଇ ଚାରି ମାସ ଗଲା
ବରଷେ ବି ଗଲା ପୁରି,
ଗୋପବନ୍ଧୁ ବାବୁ ଦେଲେନାହିଁ ଟଙ୍କା
ଅନନ୍ତ ହୋଇଲେ ଝୁରି ।
ଦୂର ଗାଆଁ ବାଟ କିପରି ଯିବି ମୁଁ
ଦୁଃଖରେ ବସିଲେ ଭାଳି,
ବହୁତ ଦିନରୁ ଥକି ପଡ଼ିଲିଣି
ପାଦରେ ମୁଁ ଚାଲିଚାଲି ।
ସାଇକେଲ ହେଲେ ସହଜ ସରଳ
ବହୁତ ପାରନ୍ତି ବୁଲି,
ଟଙ୍କା ନେଇ ସେତ ଫେରାଇ ଦିଅନ୍ତି
ମୋ କଥା କି ଗଲେ ଭୁଲି ।
ଭାବି ଭାବି ଦିନେ ବେଳ କାଳ ଉଣ୍ଡି
କହିଲେ ମନର କଥା,
ଗୋପବନ୍ଧୁ ବାବୁ ହସିଲେ ଅପଳ
ତଳକୁ ନୁଆଁଇ ମଥା ।
“ତୁମ ଟଙ୍କା କଥା ଅଛି ମୋର ମନେ
ଦେଇ ନାହିଁ ଜାଣିଜାଣି,
କଥା ଯଦି ମୋର ରଖିବ ଅନନ୍ତ
ଏଇକ୍ଷଣୀ ଦେବି ଆଣି ।”
ବରଷା ବଢ଼ିରେ ଘରଘର ବୁଲି
ଅପନ୍ତରା ବାଟ ଦେଇ,
ପାଦେ ଚାଲିଚାଲି ଭୋକିଲା ଲୋକର
ଖବର ଫେରୁଛ ନେଇ ।
ସାଇକେଲ ହେଲେ ସଡ଼କ ବାଟରେ
ସୁବିଧାରେ ଯିବ ଚାଲି,
ଅଭାବ କେଉଁଠି କିପରି ଜାଣିବ
କହିଲ ମନରେ ଭାଳି ?
ପାଣି କାଦୁଅରେ ଆଉ କି ପଶିବ
ଦେଖିବ ଦୁଃଖୀର ମୁହଁ,
ବରଷା ବଢ଼ିରେ କିଏ ପୋଛିଦେବ
ଆକୁଳ ଆଖିର ଲୁହ ?
ଟଙ୍କା ନେଇ ଯାଅ ସାଇକେଲ କିଣା
ମନୁ କରିଦିଅ ଦୂର,
ଦୁଃଖି ଜନସେବା ଯେଉଁଠି କରୁଛ
ସେଇ ତ ସରଗପୁର ।
ମଣି ମୁକୁତାର ଝଲକରୁ ବଳି
ଶୁଖିଲା ଅଧରୁ ହସ,
ସେ ହସରୁ ଝରେ ସରଗ ସୁଷମା
ଦେବତା ହୁଅନ୍ତି ବଶ ।
ସରମରେ ସଢି଼ ବୁଝିଲେ ଅନନ୍ତ
ତାଙ୍କ ମରମର କଥା,
ଦାସେ ଆପଣଙ୍କ ଚରଣ ଯୁଗଳେ
ନଇଁଗଲା ଆପେ ମଥା ।
*କବି ପରିଚୟ*
ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ବଟକୃଷ୍ଣ ଓଝାଙ୍କ ଜନ୍ମ ୧୯୩୯ ମସିହା ଅକ୍ଟୋବର ମାସ ୨୦ ତାରିଖରେ ।
‘କଥା କି କୁହୁକ’, ‘ହସଫୁଲ’, ‘ମୋ ଗୀତ’, ‘ମୋ ଗପ’, ‘ବାଇଦବଜା’, ‘ମୋ କୁନି କୁନି କବିତା’, ଭଳି ଶିଶୁ ସାହିତ୍ୟ ପୁସ୍ତକ ରଚନା କରି ସେ ଶିଶୁ ମାନଙ୍କ ହୃଦୟକୁ ଜୟ କରି ପାରିଛନ୍ତି ।
ବହୁତ ଭଲ ଲାଗିଲା ପଢ଼ିକି