ନାରୀ ଖଡ୍ଗ ବି ଧରିପାରେ
ସେ ସହିଷ୍ଣୁତାର ପିଣ୍ଡ
ସେନେହର ସାଗର,
ଲୁହ ପଛକୁ ଠେଲି ଦେଇ
ବିତରି ଚାଲେ ଖୁସିର ଅତର,
ହେଲେ ଯେବେ ମହିଷାସୁରଙ୍କ ଭିଡ ଭିତରେ
ସାହସ ତା’ର ସହିଷ୍ଣୁତାକୁ ଧିକ୍କାର କରେ,
ମମତା ପରଷୁଥିବା ହାତରେ
ନାରୀ ଖଡ୍ଗ ବି ଧରିପାରେ ।
ସମାଜ ର ବେଡି ପିନ୍ଧି
ହତ୍ଯା କରେ ଆତ୍ମ ଖୁସି ,
ବିଶ୍ବାସର ଅଗ୍ନିରେ ଜଳି
ଯାଏ ମୁଠା ମୁଠା ସ୍ୱପ୍ନକୁ ନାଶି,
ହେଲେ ଯେବେ ବଜାର ଉପରେ
ଜୀବନ ତା’ ଇଜ୍ଜତ ର ଦାମ୍ ପଚାରେ,
ନିଜ ଆତ୍ମସମ୍ମାନର କବଚ ସାଜି
ନାରୀ ଖଡ୍ଗ ବି ଧରିପାରେ ।
ସେ ଲକ୍ଷ୍ମୀ, ସରସ୍ଵତୀ, ଦୁର୍ଗା, କାଳୀ
ସେ ଉମା, ସେ ହିଁ ନାରାୟଣୀ ,
ନିଜକୁ ସମାଜ ବୋଲାଉଥିବା ଦୁନିଆ ର
ସେ ହିଁ ସୃଷ୍ଟିକାରିଣୀ,
ହେଲେ ଯେବେ ଏ ରାକ୍ଷସ ସମାଜ
ତା ଧୈର୍ଯ୍ଯ ,ତ୍ଯାଗ କୁ ଅଟ୍ଟହାସ୍ୟ କରେ,
ଅହଙ୍କାର ର ବିନାଶ ପାଇଁ
ନାରୀ ଖଡ୍ଗ ବି ଧରିପାରେ ।
ସେ ଅବଳା ଦୁର୍ବଳା ନୁହେଁ,
ସେ ଚପଳା, ସରଳା,
ସୃଷ୍ଟିରେ ସୌନ୍ଦର୍ଯ୍ୟର ପରିଭାଷା
ନାରୀ ଅଦମ୍ୟ ସାହସର ପିତୁଳା,
ସେ ନିଜ ଭିତରେ ନୂତନ ଜୀବନର
ସୁନ୍ଦର ସର୍ଜନା କରେ,
ବଇରୀ ସୀମା ଲଙ୍ଘନ କଲେ
ଆଗେଇ ଯାଇ ସଂହାର କରେ,
ଚୁଡ଼ି ପିନ୍ଧା ହାତରେ ତା’ର
ନାରୀ ଖଡ୍ଗ ବି ଧରିପାରେ ।
ହଁ ନାରୀ ଖଡ୍ଗ ବି ଧରିପାରେ ।
ଅର୍ପିତା ମିଶ୍ର
ଯାଜପୁର