ମୁକ୍ତି ଦିଅ
ମୁକ୍ତି ଦିଅ ମୁକ୍ତି ଦିଅ ପ୍ରଭୁ
ମତେ ଜନନୀର ଜଠରରୁ,
ନିବିଡ ଘୋର ଅନ୍ଧକାରରେ
କରୁଥିବା ସଂଘର୍ଷରୁ।
ପାପର ପଙ୍କରେ ଘାଣ୍ଟି ମୁଁ ହେଉଛି
ନିତି ପାଏ ଏଠି କଷ୍ଟ,
ଜଲ୍ଦିଜଲ୍ଦି ପାଦ ଥାପିବା ପାଇଁକି
ଡାକେ ମତେ ଧରାପୃଷ୍ଠ।
କ୍ଷମା ଦିଅ କ୍ଷମା ଦିଅ ମତେ
ପ୍ରଭୁ ପାପର କର କ୍ଷୟ,
ସତ୍ୟପଥେ ଆଉ ଧର୍ମପଥେ ମୁଁ
ରଖିବି ତ ସଦା ଲୟ।
ଧରାପୃଷ୍ଠରେ ପାଦ ଥାପିବାକୁ
ଦିଅ ପ୍ରଭୁ ଅନୁମତି,
ସବିତା ଦର୍ଶନେ ଶପଥ ନେବି ମୁଁ
ଗାଇବାକୁ ତୁମ କୀର୍ତ୍ତି।
ତୁମ ଚରଣରେ ସବୁଦିନ ସତେ
ଥିବ ମୋର ଏଇ ମନ,
ତୁମ ନାମ ଯଶ ଗାଉଥିବି ପ୍ରଭୁ
ଲଭିବା ଯାଏ ମରଣ।
ସୌଭାଗ୍ୟବତୀ ଗିରି
କେନ୍ଦ୍ରାପଡା