ମଶାଣି
ଗାଁ ମୁଣ୍ଡରେ ମୋ ଉପେକ୍ଷିତ ଅଗଣା
ମଣିଷର ଶେଷ ଯାତ୍ରା ମୋ ଠିକଣା
ଲୋକେ ଭୟ କରନ୍ତି ମୋ ସ୍ୱରୂପ ଦେଖି
ଆଉ ଖାଁ ଖାଁ ଲାଗି ମାଡ଼ିପଡ଼େ ମୋ ଅଗଣା …..
ପିଲାଠୁ ବୁଢାବୁଢୀ ଯାଏଁ ସମସ୍ତେ ଆସନ୍ତି
ଆଉ ସୋଇଥାନ୍ତି ନୀରବ ଚିତ୍ତରେ
ବନ୍ଧୁ ପରିଜନ ସଜଡ଼ାନ୍ତି କୋକେଇ
ଆଉ କେଇ ଘଣ୍ଟା ର ଯାତ୍ରା ଚାଲେ ମୋ ଘରେ…
କେବେ ଲୁହ ଲହୁ ର କାହାଣୀ ଶୁଣିଚି
ପୁଣି ଟଙ୍କା ପଇସାର ବିବର୍ଣ୍ଣ ମୋହ
କେବେ କେବେ ସମ୍ପତ୍ତି ବିଭାଜନ
ଆଉ କୋଉ ଦୁର୍ବଳ ହୃଦୟର ନୀରବ କୋହ….
କେବେ ପୁଅ ମୁଣ୍ଡରୁ ପିତାର ହାତ ଛଡା
ଆଉ ମାଆ ର ପଣତ ଅଦିନେ ଲିଭିଛି
ସମୟ ବୁଢ଼ୀ ଅସୁରୁଣୀ ସାଜି ଜୀବନ ହରୁଛି
କେବେ ଜୀବନ ସଂଗୀ ହାରି ବୃଦ୍ଧ ଏକାକୀ କାନ୍ଦିଛି….
ମେଞ୍ଚାଏ କଉଡ଼ି ଅଚଳନ୍ତି ପଇସା କେତୁଟା
ଆଉ ଛିଣ୍ଡା ମସିଣା ସାଙ୍ଗରେ ଭଙ୍ଗା କୋକେଇ
ରାମ ନାମ ସତ୍ୟ ସାଙ୍ଗେ ବୁକୁଫଟା ଲୁହ
ଶବ ଯାତ୍ରାରେ ମୋ ଅଗଣା ପୂରୀ ଯେ ଉଠଇ….
କେତେଗୋଟି ହାତଗଣତି ବାସଙ୍ଗ ଗଛ
ଆଉ ଅଙ୍ଗାର କେଇଗଦା ମୋ ଆସବାବ
କାହିଁକି ମୁଁ ଅବହେଳିତ ଆଉ ରଙ୍ଗହୀନ
କିଏ ଉତ୍ତର ଦିଅ ରଖ ହେ ଜବାବ…..
ମାତୃ କୋଳେ ଆରମ୍ଭ ଜୀବନ ଆସର
ଶେଷ ବେଳେ ମୋ ଗର୍ଭରେ ବିଲୀନ
ଶେଷ ଯାତ୍ରାର ମୁଁ ଏକାନ୍ତ ସାଥି ପ୍ରାୟ
ଏ ମିଛ ମଞ୍ଚରେ ପୁଣି ମୁଁ ଏକା ହୀନିମାନ……
ମୋ ଅଗଣାରେ ଗଛ ଟିଏ ଲଗାଅ
ଆଉ ମତେ ଧଳା ରଙ୍ଗରେ ଭରିଦିଅ
ଏ ଶୂନଶାନ ଅଗଣାରେ ଛୋଟ ବଗିଚାଟେ
ତମ ଶେଷ ଯାତ୍ରା ର ହଉ ଅନ୍ତିମ ଆଶ୍ରୟ….
ମଧୁସ୍ମିତା ରାଉତ
ତାଳବରକୋଟ