ମୌସୁମୀ ଫେରାର
ନୀରଦର ଶେଷ ନିର୍ମଳ ଆକାଶ
ମୌସୁମୀ ଯାଉଛି ଫେରି
ସୁସଜ୍ଜିତ ଧରା ସବୁଜ ବର୍ଣ୍ଣରେ
ଶରତ ସମ୍ଭାର ଭାରି।
କେରଳ ଛୁଇଁ ସେ ଆସିଥିଲା ଦିନେ
ସୃଷ୍ଟିର କଲ୍ୟାଣ ପାଇଁ
ମୌସୁମୀ ପରଶେ ବରଷା ବରଷେ
ମିଥ୍ୟା ନୁହେଁ ସତ୍ୟ ଏହି।
ମେଘ ମହ୍ଲାରର ଉଲ୍ଲାସୀ ପ୍ରାଣରେ
ମଉସୁମୀ ମଦମତ୍ତା
ପଲ୍ଲୀ ପ୍ରାନ୍ତରର ପରିତୃପ୍ତି ଭାର
ଚଷାଭାଇ ଆତ୍ମୀୟତା।
ମୌସୁମୀ ପ୍ରବେଶି ଅଭିନୟ ସାରି
ଗଲାଣି ଆଜି ସେ ଫେରି
ସଭିଏଁ ଆମେରେ ପଳାୟନପନ୍ଥୀ
ସୃଷ୍ଟିର ନିୟମ ଧରି।
ରହିନାହିଁ କେହି ରହିବେ ନାହିଁଟି
ଭବରଙ୍ଗ ଭୂମି ତଳେ
ସର୍ବେ ନିଜ ନିଜ ଅଭିନୟ ସାରି
ବାହୁଡିବେ କାଳବଳେ।
ଚିରସ୍ଥାୟୀ କେହି ନୁହଁନ୍ତି ଜଗତେ
କର୍ମଭୂମି ବସୁନ୍ଧରା
ମୌସୁମୀ ଫେରାର ମହାନତା ବାର୍ତ୍ତା
ସନ୍ଦେଶ ବୁଣି ଏ ଧରା।
ଫେରିବା ପୂର୍ବରୁ ଥାପି ଦେଇଗଲା
ଧରାପୃଷ୍ଠେ ପାଦଚିହ୍ନ
ପ୍ରତିଟି ପ୍ରାଣର ଅଭୂଲାର ସ୍ମୃତି
ମଉସୁମୀ ପଳାୟନ।
ନୀହାରିକା ପଣ୍ଡା
ନୟାଗଡ଼
234 total views, 2 views today