ମୋକ୍ଷ

ସ୍ୱାର୍ଥ ର ସହରେ ଧର୍ମ କୁ ଲୁଟ୍ କରି
ମାନବିକତା ର ହତ୍ୟା କରି,
ଖୋଜା ଯାଏ ଏଠି ମୋକ୍ଷ ର ମାର୍ଗ ।
ଧର୍ମ, ଜ୍ଞାନ, ର ମାର୍ଗ ରେ ଏଇ ସ୍ୱାର୍ଥ ର ସ୍ଥାନ
ଆସିଲା କେଉଁଠୁ, ଆଣିଲା କିଏ ?
ଉତ୍ତର- ହଁ ଏଇ ମାନବ ସମାଜ ।
ସାରା ସୃଷ୍ଟି ର କଲ୍ୟାଣ ନିମନ୍ତେ ଭୋଳାନାଥ କରିଥିଲେ ବିଷପାନ
ଦେବତା ଙ୍କ କଲ୍ୟାଣ ରେ ଦଧିଚି ଙ୍କ ଅସ୍ତିଦାନ
ଏହାହିଁ ପ୍ରକୃତ ଜ୍ଞାନୀ ଓ ସାଧୁତ୍ୱ ର ଉଦାହରଣ ।

ଭୋକିଲା ପେଟରେ ଧର୍ମ ଯେ ଅନାବଶ୍ୟକ,
ହେଲେ ଏଠି ତ ଧର୍ମ ର ପୂଜାସ୍ଥଳୀ ମନ୍ଦିର ର ଆଗେ ହିଁ
ସହ ସହ ଭୋକିଲା ଙ୍କ ଭିଡ
ପୁଣି ସେଇଠି ହିଁ ଚାଲେ, ଜ୍ଞାନୀ ପଣ୍ଡିତ ଙ୍କର
ଧର୍ମ ର ସମାଲୋଚନା ଓ ପ୍ରବଚନ ।
କିନ୍ତୁ ଏହା ପ୍ରବଚନ ନୁହେଁ, କେବଳ ପ୍ରବଞ୍ଚନା ମାତ୍ର
ଧର୍ମ କୁ ଖଡ୍ଗ ସଜାଇ,ଯେଉଁଠି ମାନବିକତା କୁ ହଣାଯାଏ ।

କ’ଣ ଲେଖା ହୋଇନି ବେଦ, ଶାସ୍ତ୍ର, ଧର୍ମଗ୍ରନ୍ଥ ରେ ?
ଯେ, ସବୁରି ଦେହ ରେ ସେହି ଗୋଟିଏ ଈଶ୍ବର ହିଁ ବିଦ୍ୟମାନ ।
” ମଣିଷ ସେବା ହିଁ ଈଶ୍ବର ସେବା ”
ମାନବ ସେବା କୁ ଛାଡି ଦିଅ ଏଠି ତ
ଈଶ୍ବର ସେବା ରେ ବି ରହିଛି ସ୍ୱାର୍ଥ,
ମୋକ୍ଷ ପାଇବାର ଇଚ୍ଛା ।
ହେଲେ,, ଭୋକିଲା ପେଟରେ ଦାନା ମୁଠାଏ ନ ଦେଇ, ଅସହାୟ ଦରିଦ୍ର କୁ ଘୃଣା କରି,
ପଥର ମୂର୍ତ୍ତି ଆଗେ ନୈବେଦ୍ୟ ଭୋଗ ଲଗେଇ କେବଳ
ମୋକ୍ଷ କ’ଣ ମିଳିପାରେ,,?
ଶିବାନି ପାଢି
ବାଲିକୁଲୁଣ୍ଡା, ବରଗଡ଼

Leave a Reply

Your email address will not be published. Required fields are marked *