*ଗଳ୍ପ : ମୋ ପରିବାର*
*ବାସନ୍ତୀ ଲତା ଜେନା*
ପରିବାର ସମାଜର ଏକ ସାମାଜିକ ଅନୁଷ୍ଠାନ l ମନୁଷ୍ୟ ଏକ ସାମାଜିକ ପ୍ରାଣୀ l ଏହା ପରିବାରର ରକ୍ତଗତ ସମ୍ପର୍କ ବ୍ୟକ୍ତି ମାନଙ୍କ ମଧ୍ୟରେ ନିବିଡ଼ ଘନିଷ୍ଠତା ସୃଷ୍ଟି କରି ଥାଏ l ମାନବ ଶିଶୁ ଜନ୍ମରେ ଖୁବ ଅସହାୟ ଥାଏ l ଶିଶୁଟି ପରିବାରର ପିତା ମାତା ଓ ଅନ୍ୟ ମାନଙ୍କର ସ୍ନେହ, ଶ୍ରଦ୍ଧା ଓ ଯତ୍ନରେ କ୍ରମଶଃ ବଢେ l କଥା କହିବl ଶିଖେ l ନୀତି, ନିୟମ, ଶୃଙ୍ଖଳା ଶିଖେ l ସୁନ୍ଦର ପୁର ଗ୍ରାମରେ କାଶୀନାଥ ନlୟକର ଝାଟି ମାଟିର ନଡା ଛପର ଘର l କୃଷକ ସେ l ପତ୍ନୀ ରାଧିକା l ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ l ଦୁଃଖେ ସୁଖେ ପରିବାରଟି ଚଳି ଯାଉ ଥିଲା l କାଶି ନାଥକୁ ଦୀର୍ଘ ଦିନ ଧରି କାଶ ହେଉ ଥାଏ l ପତ୍ନୀ ରାଧିକା ବହୁ ଥର କହିଲେଣି ଡାକ୍ତର ଦେଖାଇ ଔଷଧ ଆଣି ଖାଇବାକୁ l କlଶଟା ଦିନକୁ ଦିନ ବଢୁଛି l ହେଳା କରୁଛ କହିଁକି ?
କାଶିନାଥ କହନ୍ତି ! ଥଣ୍ଡାରୁ କାଶ ହେଉଛି ବୋଧେ l ତୁମେ ଟିକେ ଅଦା, ତୁଳସୀ ପତ୍ର, ଗୋଲମରିଚ, ତେଜ ପତ୍ର, ମହୁ ମିଶାଇ କlଢ଼ା କରି ଦିଅ l ୨/୩ ଥର ପିଇ ଦେଲେ ଛାଡି ଯିବ l କାଶିନାଥ ଭାବେ କାହିଁକି ଡାକ୍ତରଖାନା ଯାଇ ଅଯଥା ପଇସା ଖର୍ଚ୍ଚ କରିବି ? ସେଇ ପଇସା ଥିଲେ ମୋ ପିଲାଙ୍କର ପାଠ ପଢା ଖର୍ଚ୍ଚରେ ଲାଗିବ l ଏମିତି ଭାବି ସେ ହେଳା କରି ଦେଲେ l ଅଜଣା ରୋଗ ମାଡି ବସିଲା ତାଙ୍କୁ l ଯେତେବେଳେ ତାଙ୍କର ଅବସ୍ଥା ଖରାପ ହେଲା ସେତେବେଳେ ତାଙ୍କର ପୁଅମାନେ ତାଙ୍କୁ ଡାକ୍ତର ଖାନା ନେଇଗଲେ l ଡାକ୍ତର ରକ୍ତ ପରୀକ୍ଷା କରି କହିଲେ ତାଙ୍କୁ ଟି.ବି. ହୋଇଛି l ଛାତିରେ କଫ ଜମି ଯାଇଛି l ତୁମେ ଆଣିବା ଡେରି କରି ଦେଲ l ହଉ “ମୁଁ ଚେଷ୍ଟା କରୁଛି l ତୁମେ ଭଗବାନଙ୍କୁ ଡାକ , ସବୁ ଠିକ ହୋଇ ଯିବ l
କାଶିନାଥ ଆଉ ଡାକ୍ତର ଖାନରୁ ଫେରିଲେ ନାହିଁ l ସେ ହେଲେ ଅମର ଧାମର ଯାତ୍ରୀ l ବଡ଼ ପୁଅ ମହେନ୍ଦ୍ର ଓ ସାନ ପୁଅ ଧର୍ମେନ୍ଦ୍ର ବାପାଙ୍କର ଶବ ଘରକୁ ଆଣି କ୍ରିୟା କର୍ମ ସାରି ଦେଲେ l ବଡ଼ ପୁଅ ମହେନ୍ଦ୍ର +୨ ପରେ ପିଅନ ଚାକିରୀ ପାଇଁ ଆବେଦନ କରିଥିଲା l ଯାହା ହେଉ ଗୋଟିଏ ଅଫିସରେ ତାଙ୍କୁ ଚାକିରୀ ମିଳିଗଲା l ମହେନ୍ଦ୍ର ଘରର ଦାୟିତ୍ୱ ନେଲା l ସାନ ଭାଇ ଭଉଣୀଙ୍କୁ ପାଠ ପଢ଼ାଇଲା l ନିଜ ବାପାଙ୍କର କିଛି ଚାଷ ଜମି ଥିଲା l ତାକୁ ଦେଖାଦେଖି କଲା l ଦୁଇ ବର୍ଷ ପରେ ସାନ ଭଉଣୀ ସୁଦୀପ୍ତlକୁ ବିବାହ କରି ଦେଲା l ସାନ ଭାଇ ଧର୍ମେନ୍ଦ୍ରକୁ ଇଞ୍ଜିନିୟରିଂରେ ଆଡମିଶନ କରି ଦେଲା l ସବୁ ବେଳେ ମହେନ୍ଦ୍ର, ଧର୍ମେନ୍ଦ୍ରକୁ କହେ ତୁ ପାଠ ପଢି ଚାକିରୀ କଲେ ଆମ ଦୁଃଖ ଯିବ l ଆମ ପରିବାରରେ ହସ ଖୁସି ଭରି ଉଠିବ l ମହେନ୍ଦ୍ର ଓ ଧର୍ମେନ୍ଦ୍ର ମଧ୍ୟରେ ବହୁତ ସ୍ନେହ, ପ୍ରେମ ଥିଲା l ଯେତେବେଳେ ଛୁଟିରେ ଧର୍ମେନ୍ଦ୍ର ଘରକୁ ଆସେ ଦୁଇ ଭାଇ ମିଶି ଖାଆନ୍ତି, ଏକାଠି ବସନ୍ତି, ଏକାଠି ଶୋଅନ୍ତି l ମା ‘ ରାଧିକା ଦୁଇ ଭାଇଙ୍କର ସ୍ନେହ ଦେଖି ଖୁସି ହୁଅନ୍ତି l ମହେନ୍ଦ୍ର ସେଇ ଗାଁର ପ୍ରତାପ ରାଉତଙ୍କ ଝିଅକୁ ବିବାହ କଲେ l ଧର୍ମେନ୍ଦ୍ର ବହୁତ ଖୁସି ଥିଲା l ବାହାଘର କାମ ସରିଲା ପରେ ଧର୍ମେନ୍ଦ୍ର କଲେଜ ଚାଲି ଗଲା l
ଏବେ ଧର୍ମେନ୍ଦ୍ରର ତୃତୀୟ ବର୍ଷ l ଆଡମିଶନ ହେବାକୁ ପଡିବ l କଲେଜରୁ ଚିଠି ଆସିଛି ମହେନ୍ଦ୍ର ପାଖକୁ l ବାର୍ଷିକ ୬୦ ହଜାର ଟଙ୍କା ଲାଗିବ l ତାପରେ ହଷ୍ଟେଲ ଖର୍ଚ୍ଚ l ଏତେ ଟଙ୍କା ମହେନ୍ଦ୍ର ପାଖରେ ନାହିଁ l ସେ ଆଣିବ କୁଆଡୁ ? ବହୁ ଚିନ୍ତାରେ ରହିଲା l ରାତିରେ ଶୋଇ ପାରିଲା ନାହିଁ l ଛଟପଟ ହେଲା l ଟଙ୍କା ପାଇଁ କଣ ମୋ ଭାଇର ପାଠ ପଢା ଅଟକି ଯିବ ? ଏମିତି କେତେ କଣ ଭାବିଲା l ମହେନ୍ଦ୍ରର ପତ୍ନୀ ପ୍ରତିମା ତାର ସବୁ ଗହଣା ( ଅଳଙ୍କାର ) କୁ ଗୋଟିଏ ରୁମାଲରେ ରଖି ସକାଳେ ସକାଳେ ମହେନ୍ଦ୍ରକୁ ଦେଲା l ଏକୁ ନେଇଯାଅ l ବିକି ଦେଇ ଧର୍ମେନ୍ଦ୍ର ପାଖକୁ ଟଙ୍କା ପଠାଇ ଦେବ l ଧର୍ମେନ୍ଦ୍ର ବିକିବାକୁ ରାଜି ହେଲେନି l ପ୍ରତିମା ବୁଝାଇଲା l ଧର୍ମେନ୍ଦ୍ର ଚାକିରୀ କଲେ ମୋତେ ଗହଣା କଣ କରି ଦେବନି ! ତୁମେ ମନ ଦୁଃଖ କରୁଛ କାହିଁକି ? ନିଅ l ଯାଇ ବିକି ଦିଅ l
ଅନିଚ୍ଛା ସତ୍ତ୍ୱେ ମହେନ୍ଦ୍ର ପ୍ରତିମାର ଅଳଙ୍କାର ବିକି ଟଙ୍କା ପଠାଇଲା ଧର୍ମେନ୍ଦ୍ର ପାଖକୁ l ଧର୍ମେନ୍ଦ୍ର ପଚାରିଲା, ଭାଇ ! ଏତେ ଟଙ୍କା ଆଣିଲ କେଉଁଠୁ ? ମହେନ୍ଦ୍ର କିଛି କହି ପାରିଲା ନାହିଁ l ଏଣୁ ତେଣୁ କିଛି କହି ଦେଲା l ଧର୍ମେନ୍ଦ୍ର ଜିଦ ଧରିବାରୁ ପ୍ରତିମା କହିଲେ ଏ ଟଙ୍କା ମୋର ଗହଣା ବିକ୍ରି ତାଙ୍କା l ତୁମେ ଚାକିରୀ ପାଇଲେ ସବୁ ଠିକ ହୋଇ ଯିବ l ଧର୍ମେନ୍ଦ୍ର ମନରେ ଆଘାତ ଲାଗିଲା l ଭାଇ ! ମୋ ପାଇଁ ମୋ ଭାଉଜର ଗହଣା ବିକି ଦେଲ ? ଏ କଥା ମୁଁ କେବେ ଭୁଲି ପାରିବିନି ଭାଉଜ l ତୁମେ ମୋ ଭାଉଜ ନୁହଁ , ତୁମେ ମୋ ମା l କାନ୍ଦି ପକାଇଲା ଧର୍ମେନ୍ଦ୍ର l ଭାଉଜ ପ୍ରତିମା ଶାନ୍ତ୍ୱନା ଦେଇ ଆଖିରୁ ଲୁହ ପୋଛି ଦେଲେ l
ମହେନ୍ଦ୍ରର ପୁଅଟିଏ ହୋଇଛି l
ଅଭାବୀ ପରିବାରରେ ଖୁସିର ଲହରୀ l ଜେଜେମା ରାଧିକାର ପାଦ ତଳେ ଲାଗୁନି l ରାଧିକା, ମହେନ୍ଦ୍ର, ପ୍ରତିମା ଦୁଃଖ କଷ୍ଟେ ଚଳି ଧର୍ମେନ୍ଦ୍ର ପାଖକୁ ଟଙ୍କା ପଠାନ୍ତି l ଏଥର ଶେଷ ବର୍ଷ l
ପୁଣି ୬୦ ହଜାର ଟଙ୍କା ଦରକାର ଆଡମିଶନ ପାଇଁ l ମା ରାଧିକାର ପରାମର୍ଶ ଅନୁଯାଇ ମହେନ୍ଦ୍ର ଗୋଟିଏ ଏକର ଜମି ବିକି ଧର୍ମେନ୍ଦ୍ର ପାଖକୁ ଟଙ୍କା ପଠାଇ ଦେଲା l ଧର୍ମେନ୍ଦ୍ରର ଅନ୍ତିମ ପରୀକ୍ଷା ନ ସରୁଣୁ କ୍ୟାମ୍ପସରେ ତାକୁ କମ୍ପାନୀ ଜବ ମିଳିଗଲା l ସମସ୍ତେ ଖୁସିରେ ଅଧୀର ହୋଇ ପଡିଲେ l ଶାଶୁ ବହୂ ମନ୍ଦିର ଯାଇ ଭୋଗ ଲଗାଇଲେ l ସାହି ପଡିଶାରେ ମିଠା ବାଣ୍ଟିଲେ l ପ୍ରତିମା କହିଲା, ଅlମର ଆଉ ଅଭାବ ଆସିବ ନାହିଁ l ସମସ୍ତେ ଆମେ ଖୁସିରେ ରହିବା l କିନ୍ତୁ ଏ ସବୁ ବେଶୀ ଦିନ ଗଲା ନାହିଁ l ଧର୍ମେନ୍ଦ୍ର ମା, ଭାଇ ଓ ଭାଉଜଙ୍କୁ ନ କହି ନୀଳିମାକୁ ବିବାହ କଲା l ସେ ଜଣେ ଏ କ୍ଲାସ କଣ୍ଟ୍ରାକ୍ଟର ଝିଅ l ଭଲ ପାଇ ବିବାହ କଲା l ମୁମ୍ବାଇରେ ରହିଲା l ଘରକୁ କେତେବେଳେ କେମତି ଆସେ l ବାହାରେ ଭଡା ଘରେ ରହିଲା l ସ୍ତ୍ରୀ କଥାରେ ପଡ଼ି ଧର୍ମେନ୍ଦ୍ର ଜମି କାହିଁକି ବିକିଲ ବୋଲି ପ୍ରଶ୍ନ କଲା l ମୋତେ ଜମି ବିକ୍ରିର ଏକ ଏକ ହିସାବ ଦିଅ ବୋଲି କହିଲା l ମହେନ୍ଦ୍ରର ପାଦ ତଳୁ ମାଟି ଖସି ଗଲା l କି ଉତ୍ତର ଦେବ ତାର ପ୍ରିୟ ସାନ ଭାଇକୁ l ସବୁତ ସେ ଜାଣିଛି l ଆଜି ଏ କଥା କାହିଁକି ?
ମଝିରେ ଧର୍ମେନ୍ଦ୍ର ତାର ସ୍ତ୍ରୀକୁ ନେଇ ଘରକୁ ଆସେ l କିନ୍ତୁ ନୀଳିମା ଏ ମାଟି ଘରେ ରହିବାଳୁ ପସନ୍ଦ କରେନି l ନିଜ ବଡ଼ ଯା’କୁ ଚାକରାଣୀ ଭଳି ବ୍ୟବହାର କରନ୍ତି l ପ୍ରତିମା ସବୁ ସହିନିଏ l ମୋ ପରିବାର ମୋ ଘର, ମୋ ଦେବର କହି ଯେଉଁ ପ୍ରତିମାର ପାଦ ତଳେ ଲାଗୁ ନ ଥିଲା l ସେ ଆଜି ଅଶ୍ରୁ ଜଳରେ ଭାସୁଛି l ତା ହୃଦୟଟା ଧର୍ମେନ୍ଦ୍ର ଓ ନୀଳିମାର କଡା କଥାରେ ଖଣ୍ଡ ଖଣ୍ଡ ହୋଇ ଯାଇଛି l ଆଜି ଫେବୃଆରୀ ୧୪ ତାରିଖ l ଭେଲେନଣ୍ଟାଇନ ଡେ l ପିତୃ ମାତୃ ଦିବସ ପାଳନ l ଯେଉଁ ଦେବର ଦିନେ ମୋତେ ମା କହି ମାତୃ ସ୍ଥାନରେ ବସାଇ ପୂଜା କରୁଥିଲା ସେ ଆଜି ବଦଳୀ ଗଲା କେମିତି ? ଭାବନାରେ ବୁଡିଗଲା ପ୍ରତିମା l ପୁଅ କୁନାର ଡାକରେ ତାର ହୋସ ଫେରିଲା l ଦୁଇ ବର୍ଷର ପୁଅ କୁନା l ତାକୁ ଜ୍ୱର l ପାଖରେ ପଇସା ନାହିଁ ଡାକ୍ତର ଦେଖାଇବାକୁ l ବାଧ୍ୟ ହୋଇ ସେ ଧର୍ମେନ୍ଦ୍ରକୁ ସେ କିଛି ପଇସା ମାଗିଲା l ଧର୍ମେନ୍ଦ୍ର ତାର ଭାଉଜକୁ ୫୦୦ /- ଦେଲା l ଆଖିରେ ପଡ଼ି ଗଲା ନୀଳିମାର l ସେ ସଙ୍ଗେ ସଙ୍ଗେ ଆସି ପ୍ରତିମା ଠାରୁ ଟଙ୍କା ଛଡାଇ ନେଲା l ଧର୍ମେନ୍ଦ୍ରକୁ ମନ ଇଛା ଗାଳି କଲା l ତୁମେ ଏ ଘରକୁ ଆସୁଛ କାହିଁକି ? ଏଠି କଣ ଅଛି ? ଏ ଭିକାରି ଗୁଡ଼ାଙ୍କୁ ଦାନ କରି କରି ନିଜେ ଭିକାରି ହୋଇ ଯିବ l ତେଣୁ ଆଜି ଠାରୁ ଏ ସବୁ ବନ୍ଦ କର l ଏକଥା ଶୁଣି ରେଣୁକା, ମହେନ୍ଦ୍ର, ପ୍ରତିମାର ଚକ୍ଷୁ ଲୋତକରେ ଭରି ଗଲା l ଘର ହୁଏ ସ୍ନେହ, ପ୍ରେମର, ସହଯୋଗ – ସହାନୁଭୂତିର, ଆଦର, ଯତ୍ନ, ସେବାର l ଏହା କଣ ମୋ ପରିବାର ? ଏହା କଣ ମୁଁ ଚାହିଁଥିଲି l ଅନେକ କଥା ଭାବିବାକୁ ଲାଗିଲା ପ୍ରତିମା l ଆଖିରେ ତାର ଅଜସ୍ର ଅଶ୍ରୁ……. l
ଗାନ୍ଧିନଗର, ନବରଙ୍ଗପୁର l
310 total views, 2 views today