ମୋ ବିଦ୍ୟାଳୟ କାନ୍ଦୁଛି
ନୀହାରିକା ପଣ୍ଡା ରାକମା ,ନୟାଗଡ଼
ଶିକ୍ଷକ ଶିକ୍ଷାର୍ଥୀ ବିନା ଶିକ୍ଷାଶାଳା
କାନ୍ଦୁଛି ଶୁଖାଇ ମୁହଁ
ମଳିନ ପଡିଛି କଳାପଟା ମୁଖ
ଶ୍ରୀହୀନ ମୋ ଶ୍ରେଣୀଗୃହ।
ନିଃସ୍ବ ସାଜିଅଛି ଖେଳ ପଡିଆଟି
ସାଙ୍ଗ ସାଥୀ କେହି ନାହିଁ
ଖୋଜୁଅଛି ସିଏ ଖେଳିବାକୁ ସାଥୀ
ବକ୍ଷେ ତା’ଡେଇଁବା ପାଇଁ ।
ମନେ ଉଙ୍କିମାରେ ମନଲୋଭା ମୋର
ବିଦ୍ୟାଳୟ ପରିବେଶ
ଶିଶୁଙ୍କ ମେଳରେ ଶିକ୍ଷା ପ୍ରଦାନରେ
ଓଠେ ଫୁଟୁଥାଇ ହସ।
ଶିକ୍ଷାଶାଳାରୂପୀ ବଗିଚାରେ ନାହିଁ
ଜୁଇ ,ଜାଇ ,ହେନା, ମଲ୍ଲୀ
ଶୁଭୁନି କାନରେ ଥାଳି ଖଡଖଡ
ମଧ୍ୟାହ୍ନ ଭୋଜନ ଖଲି।
ଢାଳୁଛନ୍ତି ଲୁହ ପରିବେଶେ କୋହ
କାନ୍ଦୁଛନ୍ତି ବୃକ୍ଷଲତା
ଫୁଲର ଉଦ୍ୟାନ କିଚେନ ଗାର୍ଡନ
ମନେ ଅସୁମାରି ବ୍ୟଥା।
କରୋନା ପ୍ରଭାବେ ଅନଲାଇନରେ
ପଢନ୍ତି ପିଲାଏ ସିନା
ମନ ଶୁଖାଇଛି ମୋ ଶିକ୍ଷା ମନ୍ଦିର
ସହପାଠୀ କର୍ମୀ ବିନା।
ମୋ ବିଦ୍ୟାଳୟ କାନ୍ଦୁଛିରେ ସତେ
ଅକୁହା ବେଦନା ଆଜି
ତା ସୁଖ ସପନ ଆଗାମୀର ସ୍ୱପ୍ନ
ଦୁର୍ଦିନରେ ଗଲା ହଜି।।