ମମତାମୟ ମୃଗତୃଷ୍ଣା
ମୁଁ ସ୍କୁଲରେ ପଢୁଥିବା ସମୟରେ ମୋତେ ମୋ ମାମୁଁ ଘରକୁ ଯିବା ପାଇଁ ଭାରି ଇଚ୍ଛା ହେଉଥାଏ କିନ୍ତୁ, ଯିବାପାଇଁ ସୁଯୋଗ ମିଳୁନଥାଏ । ବଣ ଜଙ୍ଗଲ ଘେରା ଗାଆଁ, ପ୍ରାକୃତିକ ପରିବେଶ ଖୁବ୍ ସୁନ୍ଦର । ଚାରିଆଡ଼େ ପକ୍ଷୀ କାକଳିର ତାନ ପ୍ରତିଧ୍ୱନିତ ହେଉଥାଏ । ଥରେ ସେଠିକି ଗଲେ ଆଉ ଫେରିବା ପାଇଁ ଇଚ୍ଛା ହୁଏନାହିଁ ।
ଖରାଛୁଟିରେ ମୁଁ ସେହି ଗାଆଁକୁ ଯିବାର ସୁଯୋଗ ପାଇଗଲି । ସେହି ଗାଆଁରେ ଅଧିକାଂଶ ଆଦିବାସୀ ଜନଜାତିର ଲୋକ ବସବାସ କରନ୍ତି । ସେମାନେ ଭାରି ଧର୍ମପରାୟଣ ଓ ଅନ୍ଧବିଶ୍ୱାସୀ ।
ଦିନେ ମୁଁ ଅପରାହ୍ନରେ ମାଇଁଙ୍କ ସହ ବୁଲିବା ପାଇଁ ବାହାରିଲି । ବାଟରେ ଯାଉଯାଉ ଦେଖିଲୁ ସ୍ବାତୀ ମାଉସୀ ଓ ପ୍ରାଚୀ ମାଉସୀ ବସି କଥା ହେଉଛନ୍ତି । ସେମାନେ ଦୁହେଁ ଭଲ ବାନ୍ଧବୀ । ଏକାଠି ବସି ସୁଖର ଦୁଃଖର କଥା ହୁଅନ୍ତି । ସ୍ବାତୀ ମାଉସୀ ଜଣେ ଭଲ ଗୃହିଣୀ । ସେ ତାଙ୍କର ପତ୍ନୀ ଧର୍ମ ଓ ବୋହୂ ହେବାର କର୍ତ୍ତବ୍ୟ ସୁଚାରୁରୂପେ ତୁଲାଉଥାନ୍ତି କିନ୍ତୁ,ସେ ସନ୍ତାହୀନା କାରଣରୁ ଦୁଃଖରେ ଥାଆନ୍ତି । ଏକଥା ସେ ତାଙ୍କ ପ୍ରିୟ ବାନ୍ଧବୀ କୁ କହୁଥାନ୍ତି ।
ଏକଥା ଶୁଣି ପ୍ରାଚୀ ମାଉସୀ କହିଲେ- *ମୋ ମାଆ ମଧ୍ୟ ବହୁବର୍ଷ ନିଃସନ୍ତାନ ଥିଲେ। ଥରେ ଜଣେ ମହାପୁରୁଷଙ୍କୁ ଯାଇ ସେ ସନ୍ତାନ ପାଇଁ ବର ପ୍ରାର୍ଥନା କରନ୍ତେ, ମହାପୁରୁଷ ମୋ ମା’ଙ୍କୁ ସେ ସାଇତି ରଖିଥିବା ତାଙ୍କର କୌଣସି ପ୍ରିୟ ବସ୍ତୁ ନେଇ ଆସିବାକୁ ନିର୍ଦ୍ଦେଶ ଦେଲେ। ମା’ ଦୂରବର୍ତ୍ତୀ ନିଜ ଗ୍ରାମକୁ ଲେଉଟି ଆସି, ବାପଘରୁ ଆଣିଥିବା ପୁରୁଣା ରୂପାମୁଦ୍ରାଟିଏ ବାହାର କରି ମହାପୁରୁଷଙ୍କୁ ଭେଟିବାକୁ ଯାଇ ଦେଖିଲାବେଳକୁ ସେ କୋଡିଏ କୋଶ ଉତ୍ତରକୁ ଯାଇ ଡେରା ପକାଇଲେଣି। ମା’ ମୋର ପୁଣି ବାଟ ଚାଲିଲେ। ବାଟରେ ନଈ। ନଈରେ ବନ୍ୟା। ନାଆ ର ଦେଖାନାହିଁ। ମା’ ସ୍ରୋତ ସହ ଯୁଝି ନଈ ପାର ହେଲେ। କିନ୍ତୁ ଗନ୍ତବ୍ୟ ସ୍ଥାନରେ ପହଞ୍ଚି ଶୁଣିଲେ, ମହାପୁରୁଷ ସେଠାରୁ ଆହୁରି ତିରିଶ କ୍ରୋଶ ଦୂରବର୍ତ୍ତୀ ଏକ ଗ୍ରାମକୁ ପ୍ରସ୍ଥାନ କଲେଣି।ମା’ ମୋର ପୁଣି ବାଟ ଚାଲିଲେ। ଅବଶେଷରେ ମହାପୁରୁଷଙ୍କୁ ଭେଟି, ଆଣିଥିବା ମୁଦ୍ରାଟି ସମର୍ପଣ କଲେ। ମହାପୁରୁଷ ତାହା ଗ୍ରହଣ କରି ଧ୍ୟାନସ୍ଥ ହେଲେ ଏବଂ ମା’ଙ୍କୁ ସନ୍ତାନ ପ୍ରାପ୍ତିର ବର ପ୍ରଦାନ କଲେ। ଫଳରେ ମୁଁ ଜନ୍ମ ନେଲି।*
ଏକଥା ଶୁଣି ସାରିବା ପରେ ସ୍ବାତୀ ମାଉସୀ ଟିକେ ଖୁସି ଅନୁଭବ କଲେ ଓ ସେହି ସାଧୁବାବାଙ୍କ ନିକଟକୁ ସନ୍ତାନ ପ୍ରାପ୍ତିର ବର ନିମିତ୍ତ ଯିବା ପାଇଁ ଠିକଣା ମାଗିଲେ । ସମସ୍ୟା ସମାଧାନର ଉପାୟ ବତେଇଥିବାରୁ ପ୍ରାଚୀ ମାଉସୀଙ୍କୁ କୃତଜ୍ଞତା ଜ୍ଞାପନ କଲେ । ସେହି ବିତିଯାଇଥିବା ଦିନର କଥା ଆଜି ବି ମୋର ମନେପଡ଼େ ।
ଉର୍ମିଳା ଗଉଡ଼
କଳାହାଣ୍ଡି