ମାଟି ମଟାଳର ମଣିଷ
ପ୍ରଶାନ୍ତ କୁମାର ନାଥ
ଚକ୍ରିସୁତ କୁଳେ ଜନମିଛି ମୁହିଁ
ଖେଦ ନାହିଁ ମୋର ମନେ,
ମାଟି ମଟାଳରେ ବିତୁଛି ଜୀବନ
ଶୂନ୍ୟ ଚକ୍ରେ ସିଂହାସନେ ।
ମାଟିର ପିଣ୍ଡକୁ ହାତରେ ଧରିଣ
ଗଢୁଅଛି ମାଟି ପାତ୍ର,
କାଦୁଅ ପାଣିରେ ଜୀବନ ସଂହିତା
ଲେଖୁଥାଏ ଚିଠି ପତ୍ର ।
ନିର୍ଜୀବ କାଦୁଅ ମୋର ହାତ ସ୍ପର୍ଶେ
ହୋଇ ଉଠେ ମୂର୍ତ୍ତିମନ୍ତ,
ମାଟି ମଟାଳଟା ପୋଡି ସିଝି ଯାଇ
ଦିଶୁଥାଏ କେତେ ଶାନ୍ତ ।
କିଏ ସେ ଵୁଝିବ ମୋ ଜୀବନ ଗୀତ
ଅଛି କେତେ ଶୂନ୍ୟ ଛନ୍ଦ,
ତଥାପି ମୁଁ ହସେ ମାଟି ମଟାଳରେ
ଭାଗ୍ୟକୁ ନଭାଵି ମନ୍ଦ ।
ବୁଝୁକି ନ ଵୁଝୁ ଦୁନିଆଁ ମୋ ଵ୍ୟଥା
ମାଟି କାଦୁଅ ଵୁଝିଛି,
ସେଥିପାଇଁ ମୁହିଁ କୃତ୍ରିମକୁ ଭୁଲି
ମାଟିର ସାଥେ ହଜିଛି ।
ମାଟି ମଟାଳରେ ତିନ୍ତୁଛି ଜୀବନ
ନାହିଁ ମୋର ଅବଶୋଷ,
ଦୁଃଖ କଷ୍ଟକୁ ମୁଁ ପାସୋରି ଦେଉଛି
ଦେଖି ଏହି ମାଟି ବେଶ ।
ଜୁଣଗଡି (ରାଜନଗର )କେନ୍ଦ୍ରାପଡ଼ା