ମୁକ୍ତକେଶୀ
ମେଘ ରାଇଜରେ ତୋଳିବି ମୁଁ ଘର
ସପନ ରାଜକୁମର
କାଉ°ରୀ ମନ୍ତର ଜାଣେ କିମିଆଁ ମୁଁ
କଳାକାର ଯାଦୁକର ।
ବରଷାଇ ପାରେ ପୁଳାପୁଳା ଟଙ୍କା
ଶୃନ୍ୟ ମୁଣି ହାତ ଝାଡି
ଧରିଛି ହାତେ ମୁଁ ସୁବର୍ଣ୍ଣ ପିଟଣି
ଚମତ୍କାର ଯାଦୁଛଡି ।
ପିନ୍ଧିଛି ମଥାରେ ମୁଁ ମଣି ମୁକୁଟ
ଶୁଣ ପକ୍ଷୀ କାକପୋଇ
ଦେଖାଇବି ତୋତେ ସୁନୀଳ ଆକାଶେ
ଦିନରେ ତାରକା ମୁହିଁ ।
ସଜାଇବି ସାତ ଉଜ୍ଜ୍ୱଳ ରଙ୍ଗରେ
ଆକାଶରେ ଇନ୍ଦ୍ରଧନୁ
ପବନେ ଭାସିବ ମେଘର ମହ୍ଲାର
ଦୂର ହେବ ଦୁଃଖ ମନୁ ।
ଅପୂର୍ବ ସୁନ୍ଦରୀ ସପନ ନାୟିକା
ମୁକ୍ତକେଶୀ ମନପରୀ
ନୃତ୍ୟ ଗୀତ ଛନ୍ଦ ଆଖି ଇସାରାରେ
ମନ ନେବ ଚୋରୀ କରି ।
ଚାଲିରେ ତାହାର ଝରିବ ମୁକୁତା
ପରିଧାନ ଝୀନ ବସ୍ତ୍ର
ଝଲସି ଦିଶିବ ତାର ରୂପ କାନ୍ତି
ଗହଳିବ ଚଳଚ୍ଚିତ୍ର ।
ପେଶା ମୋ ତାମଶା କ୍ରିଡା କଉଶଳ
ନୀଳନୟନା ମୋ ଅସ୍ତ୍ର
ଜଳଜଳ ହୋଇ ଦେଖିବେ ଦର୍ଶକ
ଅଜସ୍ର ଗଣିବି ଅର୍ଥ ।
ଶ୍ରୀ ଭରତବନ୍ଧୁ ବିଶ୍ୱାଳ
ଉପର ବରୁଆଁ ,କବୀରପୁର ,ଯାଜପୁର