🌧️ ମେଘ ହାତେ ସନ୍ଦେଶ 🌧️
====================
ମେଘ ମୋର ଦୂତ ହୋଇ
ଆଖିରୁ ମୋ ଲୁହ ନେଇ
ଅଙ୍ଗେ ଅଙ୍ଗେ ଭରି ଦେଇ ତୋର,
ବରଷି ଯା’ ବର୍ଷା ହୋଇ
ପ୍ରିୟ ଦେହକୁ ଭିଜାଇ
ପହଞ୍ଚାଇଦେ ସନ୍ଦେଶ ମୋର ll
ଭରିଦେ ମନରେ ପୁଣି
ପ୍ରେମ ବୀଜ ହୃଦେ ବୁଣି
ବିଗତ ଦିନର ସବୁ ସ୍ମୃତି,
ପ୍ରଥମ ଆମର ଦେଖା
ସାକ୍ଷୀ ତୋ ବରଷା ଟୋପା
ମନେ ପକାଇଦେ ସେଇ ରାତି ll
ସେଇ କିଛି କ୍ଷଣ ସତେ
ଲାଗିଲା ଏମିତି ମୋତେ
ପାଇଗଲି ପାଶେ ସବୁ ଖୁସି,
ହାତରେ ମୋ ହାତ ରଖି
କହିଥିଲ ତୁମେ ସାଥୀ
ଚାହଁ ମୋତେ ନିଜଠୁ ବି ବେଶୀ ll
କେମିତି ଭୁଲିଲ କୁହ
ଛାତିରେ ମୋ ଦେଇ କୋହ
କରିଦେଲ ନିଜ ଠାରୁ ପର,
ହୃଦ ଆଜି କଲବଲ
ପ୍ରଶ୍ନ ଯାହା ଉଠାଇଲ
ପାଉନି ମୁଁ ଖୋଜି ତା’ ଉତ୍ତର ll
ହୃଦୟ କାନ୍ଦୁଛି ଆଜି
ପାଉନି ତୁମକୁ ଖୋଜି
ନୟନୁ ବହୁଛି ଲୁହ ଧାର,
ସାଥୀ କାହିଁ ଗଲ ହଜି
ବସିଛି ମୁଁ ବଧୂ ସାଜି
ଭରିଦିଅ ମଥାରେ ସିନ୍ଦୁର ll
ଏକାକାର ହୋଇଯିବା
ଦୁନିଆ କୁ ଭୁଲିଯିବା
କରିନିଅ ତୁମର ନିଜର,
ଏକ ହେବ ଦୁଇ ତନ
ମିଶିଯିବ ଆତ୍ମା,ମନ
ତୁମେ ହେବ ମୋର, ମୁଁ ତୁମର ll
====================
ଦୀପଶିଖା ପ୍ରଧାନ